ନୂଆଦିଲ୍ଲୀ: ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଆଗାମୀ ଟି-୨୦ ପାଇଁ ନ୍ୟୁ ସାଉଥ୍ ୱେଲ୍ସ ଲେଗ୍-ସ୍ପିନର ତନବୀର ସାଙ୍ଗାକୁ ଦଳରେ ସାମିଲ କରିଛି। ବ୍ୟକ୍ତିଗତ କାରଣରୁ ଜାମ୍ପା ସିରିଜର ପ୍ରଥମ ମ୍ୟାଚ୍ରୁ ଓହରି ଯାଇଛନ୍ତି। ସୋମବାର କ୍ରିକେଟ୍ ଅଷ୍ଟ୍ରେଲିଆ ନିଶ୍ଚିତ କରିଛି ଯେ ସାଙ୍ଗା କାନବେରାରେ ଦଳରେ ଯୋଗ ଦେଇଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ପ୍ରଥମ ଟି-୨୦ ଅକ୍ଟୋବର ୨୯ରେ ମାନୁକା ଓଭାଲରେ ଖେଳାଯିବ।
୨୩ ବର୍ଷୀୟ ତନ୍ବୀର ସାଙ୍ଗା ୨୦୨୩ରେ ତାଙ୍କର ଶେଷ ଟି-୨୦ ଖେଳିଥିଲେ। ସେ ୧୦ ମ୍ୟାଚ୍ ରେ ୨୪.୯୦ ହାରରେ ସାତଟି ୱିକେଟ ନେଇଥିଲେ, ଯେଉଁଥିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାରିଟି ୱିକେଟ ସାମିଲ ଥିଲା।
ସାଙ୍ଗା ଗତ କିଛି ସମୟ ଧରି ଉତ୍କୃଷ୍ଟ ଫର୍ମରେ ଅଛନ୍ତି। ସେ ଦିନିକିଆ କପରେ ନ୍ୟୁ ସାଉଥ୍ ୱେଲ୍ସ ବ୍ଲୁଜ୍ ପାଇଁ ପ୍ରମୁଖ ୱିକେଟ୍ ଟେକର ଥିଲେ। ସାଙ୍ଗା ୧୪.୧୦ ହାରରେ ୧୦ଟି ୱିକେଟ୍ ନେଇଥିଲେ। ସେ ଅଷ୍ଟ୍ରେଲିଆ ଏ'ର ସାମ୍ପ୍ରତିକ ଭାରତ ଗସ୍ତ ସମୟରେ ମଧ୍ୟ ପ୍ରଭାବିତ କରିଥିଲେ। ଲେଗ୍-ସ୍ପିନର କାନପୁରରେ ତିନୋଟି ଲିଷ୍ଟ ଏ ମ୍ୟାଚ୍ରେ ସାତଟି ୱିକେଟ ନେଇଥିଲେ।
ଆଦମ ଜାମ୍ପାଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି, ଏବଂ ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନ ଆଶା କରୁଛନ୍ତି। ଜାମ୍ପା, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ପର୍ଥରେ ଭାରତ ବିପକ୍ଷରେ ପ୍ରଥମ ଏକଦିବସୀୟ ମ୍ୟାଚ୍ରେ ଅଂଶଗ୍ରହଣ କରିନଥିଲେ। ତାଙ୍କୁ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜର ପ୍ରଥମ ମ୍ୟାଚ୍ରୁ ବାଦ ଦିଆଯାଇଛି, ଯାହା ଫଳରେ ତନବୀର ସାଙ୍ଗାଙ୍କ ଯୋଗଦାନ ପାଇଁ ପଥ ପ୍ରଶସ୍ତ ହୋଇଛି।
ଅଷ୍ଟ୍ରେଲିଆ ଟି-୨୦ ଦଳ
ମିଚେଲ ମାର୍ଶ (ଅଧିନାୟକ), ସିଆନ ଆବୋଟ୍, ଜାଭିୟର ବାର୍ଟଲେଟ୍, ଟିମ୍ ଡେଭିଡ୍, ବେନ୍ ଦ୍ୱାରଶୁଇସ୍, ନାଥନ୍ ଏଲିସ୍, ଜୋଶ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ଜୋଶ୍ ଇଙ୍ଗଲିସ୍, ମାଥ୍ୟୁ କୁହନେମାନ, ମିଚେଲ ଓୱେନ୍, ମାଥ୍ୟୁ ସର୍ଟ, ମାର୍କସ୍ ଷ୍ଟୋଇନିସ୍, ଆଦମ ଜାମ୍ପା, ଗ୍ଲେନ୍ ମ୍ୟାକ୍ସୱେଲ୍, ତନବୀର ସାଙ୍ଗା।
ଆହୁରି ପଢ଼ନ୍ତୁ: ରାଜ୍ୟଗୁଡ଼ିକ ବୁଲା କୁକୁର ମାମଲାରେ ସତ୍ୟପାଠ ଦାଖଲ କରିବାରେ ବିଫଳ