ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ତଥା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ରନେତା ଉମର ଖାଲିଦ, ଶର୍ଜିଲ ଇମାମ, ଗୁଲଫିଶା ଫାତିମା ଏବଂ ମୀରନ ହାଇଦରଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୩୧ ତାରିଖରେ ହେବ । ମାନ୍ୟବର ସୁପ୍ରିମକୋର୍ଟ ସୋମବାର ଦିନ ମାମଲାର ଶୁଣାଣି କରି ଜବାବ ଦାଖଲ କରିବାକୁ ଦିଲ୍ଲୀ ପୋଲିସ ମାଗିଥିବା ଅତିରିକ୍ତ ଦୁଇ ସପ୍ତାହ ସମୟ ଦେବାକୁ ମନା କରିଦେଇଛନ୍ତି।
ବିଚାରପତି ଅରବିନ୍ଦ କୁମାର ଏବଂ ଏନଭି ଅଞ୍ଜାନିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଶୁଣାଣି କରିଛନ୍ତି । ଆଜିର ଶୁଣାଣିରେ ଦିଲ୍ଲୀ ପୋଲିସର ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ ଜବାବ ଦାଖଲ ପାଇଁ ସମୟ ମାଗିଥିଲେ । କିନ୍ତୁ ଖଣ୍ଡପୀଠ ସ୍ପଷ୍ଟ କହିଥିଲେ ଯେ ଏଥିପାଇଁ ପୂର୍ବରୁ ଯଥେଷ୍ଟ ସମୟ ଦିଆଯାଇଛି । ଗତ ଥର ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ଶୁଣାଣି ୨୭ ଅକ୍ଟୋବରରେ ହେବ ଏବଂ ମାମଲାର ସମାଧାନ କରାଯିବ । ଜାମିନ ମାମଲାରେ ଜବାବ ଦାଖଲ କରିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଖଣ୍ଡପୀଠ ରୋକଠୋକ ଶୁଣାଇ ଦେଇଥିଲେ । ସୁପ୍ରିମକୋର୍ଟ ପୂର୍ବରୁ ସେପ୍ଟେମ୍ବର ୨୨ରେ ଦିଲ୍ଲୀ ପୋଲିସଠାରୁ ଜବାବ ମାଗିଥିଲେ। କୋର୍ଟ ଏବେ ଅକ୍ଟୋବର ୩୧ ତାରିଖରେ ମାମଲାର ଶୁଣାଣି କରିବାକୁ ଦିନ ଧାର୍ୟ୍ୟ କରିଛନ୍ତି ।
ଉମର ଖାଲିଦଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ କପିଲ ସିବଲ କୋର୍ଟକୁ କହିଥିଲେ ଯେ ଆବେଦନକାରୀମାନେ ପାଞ୍ଚ ବର୍ଷ ଧରି ଜେଲରେ ଅଛନ୍ତି। ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଯୁକ୍ତି ଦେଇଥିଲେ ଯେ ବିଚାରରେ ବହୁତ ବିଳମ୍ବ ହୋଇଛି ଏବଂ ଆଉ କୌଣସି ବିଳମ୍ବ ହେବା ଉଚିତ୍ ନୁହେଁ।
ସେପ୍ଟେମ୍ବର ୨ ତାରିଖରେ ଦିଲ୍ଲୀ ହାଇକୋର୍ଟ ଉମର ଖାଲିଦ, ଶାର୍ଜିଲ ଇମାମ, ଗୁଲଫିଶା ଫାତିମା ଏବଂ ମୀରାନ ହାଇଦରଙ୍କ ସମେତ ୯ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।
୨୦୨୦ ମସିହା ଫେବ୍ରୁଆରି ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ମାମଲା ବେଆଇନ କାର୍ଯ୍ୟକଳାପ ନିୟନ୍ତ୍ରଣ ଆଇନ (ୟୁଏପିଏ) ଅଧୀନରେ ରୁଜୁ ହୋଇଛି, ଯେଉଁଥିରେ ଆତଙ୍କବାଦୀ କାର୍ୟ୍ୟକଳାପ, ହିଂସାକୁ ପ୍ରୋତ୍ସାହନ ଏବଂ ଷଡ୍ଯନ୍ତ୍ର ସହ ଜଡ଼ିତ ଅଭିଯୋଗ ଅନ୍ତର୍ଭୁକ୍ତ ।