ଭୁବନେଶ୍ଵର: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବାତ୍ୟା 'ମୋନ୍ଥା'କୁ ରାଜ୍ୟ ସରକାରଙ୍କ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ବିଭିନ୍ନ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ହୋଇଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱରକୁ କୌଣସି ବିପଦ ଆଶଙ୍କା ନ ଥିବା ସତ୍ତ୍ୱେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବର୍ଷାକୁ ନେଇ ପ୍ରସ୍ତୁତି ଶେଷ ହୋଇଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ପବନ ବହିବ । ଆଜି ମଧ୍ୟ ଝିପିଝିପି ବର୍ଷାରେ ରାଜଧାନୀ ଭିଜିଛି । ତେଣୁ ଭୁବନେଶ୍ୱରରେ ଜଳବନ୍ଦୀ, ଗଛ ଭାଙ୍ଗିବା, ବିଦ୍ୟୁତ ତାର ଛିଣ୍ଡିବାର ସମ୍ଭାବନା ରହିଛି । ସେଥିପାଇଁ ବିଏମସି ପ୍ରସ୍ତୁତ ହୋଇଛି । ବିଏମସିର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଯଦି କେଉଁଠି କୌଣସି ସମସ୍ୟା ଉତ୍ପନ୍ନ ହୁଏ ତେବେ ହେଲ୍ପଲାଇନ ନମ୍ବର- ୧୯୨୯କୁ ଫୋନ କରି ଯୋଗାଯୋଗ କରିବାକୁ କୁହାଯାଇଛି । ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବା ସହିତ ୩ଟି ସିପ୍ଟରେ କର୍ମଚାରୀମାନେ ଡ୍ୟୁଟି କରିବେ ।