ନୂଆଦିଲ୍ଲୀ: ଭାରତ ଗସ୍ତରେ ତିନି ଫର୍ମାଟର ସିରିଜ୍ ଖେଳିବ ପାଇଁ ଦକ୍ଷିଣ ଆଫ୍ରିକା। ନଭେମ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଟେଷ୍ଟ ସିରିଜ ପାଇଁ ସୋମବାର ଦକ୍ଷିଣ ଆଫ୍ରିକା ଦଳ ଘୋଷଣା ହୋଇଛି। ଅଧିନାୟକ ତେମ୍ବା ବାଭୁମାଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ଘଟିଛି। ଆହତ କାରଣରୁ ସେ ପାକିସ୍ତାନ ବିପକ୍ଷ ସିରିଜ୍ ପାଇଁ ଦଳରେ ନ ଥିଲେ।
ତେମ୍ବା ବାଭୁମାଙ୍କ ଅନୁପସ୍ଥିତିରେ ଏଡେନ୍ ମାର୍କ୍ରାମ ପାକିସ୍ତାନ ଟେଷ୍ଟ ସିରିଜର ଅଧିନାୟକ ଥିଲେ, କିନ୍ତୁ ବାଭୁମା ଭାରତ ବିପକ୍ଷରେ ଫେରିଥିଲେ। ବାଭୁମାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଚଳିତ ବର୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଜିତିଥିଲା, ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଭାରତ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ସନ୍ତୁଳିତ ଦଳ ଘୋଷଣା କରିଛି। ସ୍ପିନ ଟ୍ରାକକୁ ଦୃଷ୍ଟିରେ ରଖି ଦଳରେ ସେନୁରନ ମୁଥୁସାମି, କେଶବ ମହାରାଜ ଓ ସାଇମନ ହାର୍ମରଙ୍କ ରୂପେ ତିନି ଜଣ ସ୍ପିନରଙ୍କୁ ସାମିଲ୍ କରାଯାଇଛି।
ଦ୍ରୁତ ବୋଲର ଭାବେ ଦଳରେ କାଗିସୋ ରାବଡ଼ା, ମାର୍କୋ ଜନସେନ, ଓ୍ଵିୟାନ ମୁଲଡର ଓ କର୍ବିନ ବୋଶଙ୍କ ପରି ଦ୍ରୁତ ବୋଲରଙ୍କୁ ସ୍ଥାନ ମିଳିଛି। ଉଲ୍ଲେଖନୀୟ ପ୍ରଥମ ମ୍ୟାଚ୍ ନଭେମ୍ବର ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବା ଏହା ପରେ ୨୨ରୁ ଗୌହାଟୀର ବରସାପରା ଷ୍ଟାଡିୟମରେ ଦ୍ଵିତୀୟ ମ୍ୟାଚ୍ ଖେଳାଯିବ।
ଟେଷ୍ଟ ଅଧିନାୟକ ଭାବରେ ଏହା ଶୁଭମନ ଗିଲଙ୍କ ଦ୍ୱିତୀୟ ଘରୋଇ ଟେଷ୍ଟ ସିରିଜ ହେବ। ଗିଲଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୨-୦ରେ ଜିତିଥିଲେ। ଅନ୍ୟପଟେ ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଶେଷ ଟେଷ୍ଟ ସିରିଜ ୧-୧ ଡ୍ରରେ ଶେଷ ହୋଇଥିଲା। ପାକିସ୍ତାନ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍ ଜିତିଥିଲା।
ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳ
ତୋମ୍ବା ବାଭୁମା (ଅଧିନାୟକ), କରବିନ୍ ବୋଶ, ଡିୱାଲ୍ଡ ବ୍ରେଭିସ, ମାର୍କୋ ଜନସେନ୍, ଆଡନ ମାରକ୍ରମ, ଜୁବାଇର ହାମଜା, କେଶବ ମହାରାଜ, ରିଆନ ରିକେଲଟନ, ଟନି ଡି ଜୋରଜୀ, ସେନୁରାନ ମୁଥୁସାମି, ଟ୍ରିଷ୍ଟନ ଷ୍ଟବ୍ସ, କାଗିସୋ ରାବାଡା, କାଇଲ୍ ଭେରେନେ, ୱିଆନ୍ ମୁଲଡର୍, ସାଇମନ୍ ହାରମର୍ |
ଅଷ୍ଟମ ଥର ପାଇଁ ଦକ୍ଷିଣ ଆଫ୍ରିକା ଭାରତକୁ ଟେଷ୍ଟ ସିରିଜ୍ ଖେଳିବାକୁ ଆସୁଛି। ପୂର୍ବରୁ, ଦଳ ସାତ ଥର ଭାରତ ଗସ୍ତ କରିଛି, ଯେଉଁଥିରେ ଭାରତ ଚାରୋଟି ସିରିଜ୍ ଜିତିଛି ଏବଂ ଦକ୍ଷିଣ ଆଫ୍ରିକା ଗୋଟିଏ ଜିତିଛି। ଦୁଇଟି ସିରିଜ୍ ଡ୍ରରେ ଶେଷ ହୋଇଛି। ଦକ୍ଷିଣ ଆଫ୍ରିକା ୧୯୯୦ରେ ଭାରତ ଗସ୍ତ ସମୟରେ ଶେଷ ଏବଂ ଏକମାତ୍ର ଟେଷ୍ଟ ସିରିଜ୍ ଜିତିଥିଲା। ସେବେଠାରୁ ଦଳ ଟେଷ୍ଟ ସିରିଜ୍ ଖେଳିବା ପାଇଁ ପାଞ୍ଚ ଥର ଭାରତ ଗସ୍ତ କରିଛି, କିନ୍ତୁ କେବେ ଜିତି ପାରି ନାହିଁ।