ଭୁବନେଶ୍ୱର: ବାତ୍ୟା ପୂର୍ବରୁ ବଢିଲା ପରିବା ଦର । ଗତକାଲି ଆଳୁ ପିଆଜ ସମେତ ବିଭିନ୍ନ ପନିପରିବା ଦର ହଠାତ ବଢିଥିବା ଦେଖିବାକୁ ମିଳିଛି । ଦୁଇ ଦିନ ତଳେ ଆଳୁ ତିନି କିଲୋକୁ ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତମାନ ଏହା ୭୦କୁ ବୃଦ୍ଧି ପାଇଛି । ସେହିପରି ପିଆଜ ତିନି କିଲୋକୁ ମଧ୍ୟ ୭୦ ଟଙ୍କାରେ ବିକ୍ରି ହେଉଛି । ଏହାସହ ରାତାରାତି ଆଳୁ ବସ୍ତା ୫୫୦ ରୁ ୮୫୦ କୁ ବୃଦ୍ଧି ପାଇଛି । ତେବେ ସମ୍ଭାବ୍ୟ ବାତ୍ୟା ଓ ଗ୍ରାହକଙ୍କ ଭିଡକୁ ଦୃଷ୍ଟିରେ ରଖି କିଛଇ ଅସାଧୁ ବ୍ୟବସାୟୀ ଦର ବୃଦ୍ଧି କରିଥିବା ଅଭିଯୋଗ ହେଉଛି ।
ସମୁଦ୍ର ଗର୍ଭରେ ଆହୁରି ଶକ୍ତିଶାଳୀ ହୋଇଛି ବାତ୍ୟା ‘ମୋନ୍ଥା’ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ‘ମୋନ୍ଥା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ 'ମୋନ୍ଥା' ସ୍ଥଳଭାଗ ଛୁଇଁବ । କାକିନାଡ଼ା ଦେଇ ଏହା ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଏହା ପୂର୍ବରୁ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରି ସ୍ଥଳଭାଗ ମୁହାଁ ହେଉଛି ଏହି ସାମୁଦ୍ରିକ ଝଡ଼ । ବାତ୍ୟାର କେନ୍ଦ୍ର ସ୍ଥଳ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ମଚ୍ଛଲିପଟନମ ଠାରୁ ୧୯୦ କିମି ଏବଂ କାକିନାଡ଼ା ଠାରୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି । ସେହିପରି ଗୋପାଳପୁର ଠାରୁ ୫୭୦ କିମି ଦୂରରେ ରହିଛି ।