ଭୁବନେଶ୍ୱର: ସମୁଦ୍ର ଗର୍ଭରେ ଆହୁରି ଶକ୍ତିଶାଳୀ ହୋଇଛି ବାତ୍ୟା ‘ମୋନ୍ଥା’ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ‘ମୋନ୍ଥା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରି ସ୍ଥଳଭାଗ ମୁହାଁ ହେଉଛି ଏହି ସାମୁଦ୍ରିକ ଝଡ଼ । ବାତ୍ୟାର କେନ୍ଦ୍ର ସ୍ଥଳ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ମଚ୍ଛଲିପଟନମ ଠାରୁ ୧୯୦ କିମି ଏବଂ କାକିନାଡ଼ା ଠାରୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି । ସେହିପରି ଗୋପାଳପୁର ଠାରୁ ୫୭୦ କିମି ଦୂରରେ ରହିଛି ।
ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ 'ମୋନ୍ଥା' ସ୍ଥଳଭାଗ ଛୁଇଁବ । କାକିନାଡ଼ା ଦେଇ ଏହା ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ସମୟରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଏହା ପୂର୍ବରୁ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଗଜପତି, ଗଞ୍ଜାମ ଠାରୁ ଆରମ୍ଭ କରି କଟକ, ଭୁବନେଶ୍ୱର ଯାଏଁ ବର୍ଷା ଲାଗି ରହିଛି ।
ବାତ୍ୟାର ମୋନ୍ଥାର ପ୍ରଭାବ ବିଶେଷକରି ଉପକୂଳବର୍ତ୍ତୀ ଏବଂ ଦକ୍ଷିଣ ଓଡ଼ିଶା ଉପରେ ପଡ଼ିବ । ଆଇଏମଡିର ଆକଳନ ଅନୁଯାୟୀ ବାତ୍ୟା ମୋନ୍ଥା ଛତିଶଗଡ଼ ଦେଇ ଅତିକ୍ରମ କରିବ । ତେଣୁ ଓଡ଼ିଶା ଉପରେ ପ୍ରଭାବ କମ ରହିବ । ତଥାପି ଏହି ସମୟରେ ପବନ ବେଗ ଅପେକ୍ଷା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି ।
ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛନ୍ତି । ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଆଦି ଜିଲ୍ଲା ମାନଙ୍କରେ ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ସେହିପରି ଭୂସ୍ଖଳନ ଚିହ୍ନଟ ଅଞ୍ଚଳଗୁଡ଼ିକରେ ବିଶେଷ ଧ୍ୟାନ ଦିଆଯାଇଛି । ଲୋକମାନଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବାରମ୍ବାର ସଚେତନ ମଧ୍ୟ କରାଯାଉଛି ।