ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି। ସମୟ ଯେତିକି ଗଡ଼ୁଛି, ବିପଦ ସେତିକି ଘନଉଛି। ବିଭିନ୍ନ ସ୍ଥାନରେ ବର୍ଷାଜନିତ କ୍ଷୟକ୍ଷତି ଦେଖିବାକୁ ମିଳିଛି। ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା ମୋନ୍ଥା। ଏବେ ବାତ୍ୟା ମୋନ୍ଥା ଉପକୂଳର ନିକଟତର ହେଉଛି। ଏଥିପାଇଁ ଚାରିଆଡ଼େ ଢାଙ୍କି ରଖିଛି କଳାବାଦଲ।
ଟୁଇନ ସିଟି ସମେତ ଦକ୍ଷିଣ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଆଜି ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଇଏମ୍ଡି। ଏହା ସହ ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ସମୟରେ ଲୋକମାନେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।
ସେପଟେ ‘ମୋନ୍ଥା’ ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଫଳରେ କାଶୀନଗର ବ୍ଳକ ପାର୍ତ୍ତଡା ପଂଚାୟତ ଲିଙ୍ଗା ନିକଟରେ ଭୂସ୍ଖଳନ ହୋଇଛି। ପାହାଡ଼ରୁ ଖସିଛି ବଡ଼ବଡ଼ ପଥର ଖଣ୍ଡ ଓ ମାଟି ଅତଡ଼ା । ଫଳରେ ଲିଙ୍ଗା-ବାରଭା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ବର୍ତ୍ତମାନ ଅମଳ ସମୟ ଥିବାରୁ ବର୍ଷା ପାଇଁ ଧାନ ନଷ୍ଟ ହେବାର ସମ୍ଭାବନା ରହିଛି। ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ ଦେବା ପାଇଁ କୁହାଯାଇଛି। ଦାନା ସମୟରେ ୭ ଦିନ ଭିତରେ କ୍ଷତିପୂରଣ ଦିଆଯାଇଥିଲା। ଏବେ ମଧ୍ୟ ସେହି ଢଙ୍ଗରେ କ୍ଷତିପୂରଣ ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ।
ଅଧିକ ପଢନ୍ତୁ: ବାତ୍ୟା ମୁକାବିଲା ପ୍ରସ୍ତୁତି: ୨୦୦୦ ଆଶ୍ରୟସ୍ଥଳ ପ୍ରସ୍ତୁତ, ସଜାଗ ଉଦ୍ଧାରକାରୀ ଦଳ