ନୂଆଦିଲ୍ଲୀ: ଭାରତ ସରକାର ୮ମ ବେତନ ଆୟୋଗ ଗଠନକୁ ଅନୁମୋଦନ କରିଛନ୍ତି । ଏହି ଆୟୋଗରେ ତିନି ଜଣ ରହିବେ । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଅବସରପ୍ରାପ୍ତ ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇଙ୍କୁ ଆୟୋଗର ଅଧ୍ୟକ୍ଷା ଭାବରେ ନିଯୁକ୍ତ ହୋଇଛନ୍ତି । ତେବେ ଏହି ରଞ୍ଜନା ଦେଶାଇ ଅବସର ନେବା ପରେ ଅନେକ ଦାୟିତ୍ୱ ନେଇଛି ।
ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏବଂ ଡିଲିମିଟେସନ୍ କମିଶନର ମଧ୍ୟ ନେତୃତ୍ୱ ନେଇଛନ୍ତି। ଗୁଜରାଟ ସରକାର ମଧ୍ୟ ତାଙ୍କ ସେବା ପାଇଁ ନିଯୁକ୍ତ କରିଥିଲେ । ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ପାଇଁ ସୁପାରିଶ କରିଥିବା କମିଟିର ଅଧ୍ୟକ୍ଷା ଭାବରେ ତାଙ୍କୁ ନିଯୁକ୍ତ କରାଯାଇଥିଲା।
୨୦୧୪ ରେ ସୁପ୍ରିମକୋର୍ଟ ବିଚାରପତି ଭାବରେ ରଞ୍ଜନା ଦେଶାଇ ଅବସର ଗ୍ରହଣ କରିଥିଲେ । କିନ୍ତୁ ସେବେଠାରୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଭୂମିକାରେ ସକ୍ରିୟ ଅଛନ୍ତି । ଅବସର ପରେ, ସେ ବିଦ୍ୟୁତ୍ ଆପିଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ସେ ସୀମା ନିର୍ଦ୍ଧାରଣ ଆୟୋଗର ଅଧ୍ୟକ୍ଷତା ମଧ୍ୟ କରିଥିଲେ ଏବଂ ତାଙ୍କ ମାର୍ଗଦର୍ଶନରେ, ଜମ୍ମୁ ଏବଂ କାଶ୍ମୀରରେ ଆସନ ପୁନର୍ଗଠନ କରାଯାଇଥିଲା । ତାଙ୍କ ଅଧ୍ୟକ୍ଷତାରେ, ସାତଟି ନୂତନ ଆସନ ସୃଷ୍ଟି ହୋଇଥିଲା, ଯାହା ଜମ୍ମୁ ଏବଂ କାଶ୍ମୀରରେ ମୋଟ ଆସନ ସଂଖ୍ୟା ୯୦କୁ ବୃଦ୍ଧି କରିଥିଲା । ଏହା ବ୍ୟତୀତ, ସେ ଲୋକପାଳ ଚୟନ କମିଟିର ଅଧ୍ୟକ୍ଷତା ମଧ୍ୟ କରିଥିଲେ।
୩୦ ଅକ୍ଟୋବର ୧୯୪୯ ରେ ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇଙ୍କ ଜନ୍ମ । ସେ ୧୯୭୦ ରେ ଏଲଫିନଷ୍ଟୋନ୍ କଲେଜରୁ କଳାରେ ସ୍ନାତକ ଡିଗ୍ରୀ ଏବଂ ୧୯୭୩ ରେ ବମ୍ବେର ସରକାରୀ ଆଇନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଜୁଲାଇ ୩୦, ୧୯୭୩ ରେ ଆଇନ ବୃତ୍ତିରେ ଯୋଗ ଦେଇଥିଲେ । ଜଷ୍ଟିସ୍ ପ୍ରତାପ ବାରରେ ଥିବା ସମୟରେ ତାଙ୍କ ଅଧିନରେ କାର୍ୟ୍ୟ କରିଥିଲେ। ସେଠାରେ, ତାଙ୍କୁ ଅନେକ ଦେୱାନୀ ଏବଂ ଫୌଜଦାରୀ ମାମଲାରେ ହାଜର ହେବାର ସୁଯୋଗ ମିଳିଥିଲା । ୧୯୭୯ ରେ ସରକାରୀ ଓକିଲ ଭାବରେ ନିଯୁକ୍ତି ପାଇଥିଲେ । ସେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆର ପ୍ରଥମ ମହିଳା ଅଧ୍ୟକ୍ଷା ମଧ୍ୟ ହୋଇଛନ୍ତି ।
ରଞ୍ଜନା ପ୍ରକାଶ ଦେଶାଇଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ସଦସ୍ୟଙ୍କୁ ବେତନ କମିଶନରେ ନିଯୁକ୍ତ କରାଯାଇଛି । ଆଇଆଇଏମ୍ ବେଙ୍ଗାଲୁରର ପ୍ରଫେସର ପୁଲକ ଘୋଷ ଏହାର ସଦସ୍ୟ ଭାବରେ କାର୍ଯ୍ୟ କରିବେ । ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ସଚିବ ପଙ୍କଜ ଜୈନଙ୍କୁ ସଦସ୍ୟ-ସଚିବ ଭାବରେ ନିଯୁକ୍ତ କରାଯାଇଛି । ତାଙ୍କର ବ୍ୟାପକ ପ୍ରଶାସନିକ ଅଭିଜ୍ଞତା ଅଛି ।