ମୁମ୍ବାଇ: ଶିବସେନା ୟୁବିଟି ପ୍ରମୁଖ ଉଦ୍ଧବ ଠାକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କଡା ସମାଲୋଚନା କରିଛନ୍ତି । ବର୍ଲିରେ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ରାଲି ସମୟରେ ଉଦ୍ଧବ ଶାହଙ୍କ ତୁଳନା ଆନାକୋଣ୍ଡା ସହ କରିଛନ୍ତି । ବିଜେପି ମୁମ୍ବାଇକୁ ରାଜନୈତିକ ହେରଫେର ଓ ଭୂମି ହଡପ କରି ମୁମ୍ବାଇକୁ ଗିଳିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି । ବିଜେପିର ଏମିତି ପ୍ରୟାସକୁ ତୀବ୍ର ବିରୋଧ କରାଯିବ ବୋଲି ସେ କହିଛନ୍ତି ।
ଶିବସେନା ୟୁବିଟିର ମୁଖପତ୍ର ସାମନାରେ ଛପିଥିବା ରିପୋର୍ଟରେ ଉଦ୍ଧବ ଠାକରେ କହିଛନ୍ତି, ବିଜେପି ବିଜୁଳି ଗତିରେ ମୁମ୍ବାଇରେ ଜମି ହଡପ କରିବାରେ ଲାଗି ପଡିଛି । ଯେମିତି ଆନାକୋଣ୍ଡା ନିଜ ରାସ୍ତାରେ ଆସୁଥିବା ପ୍ରତିଟି ଜିନିଷକୁ ଗିଳିଯାଏ ଠିକ୍ ସେମିତି ବିଜେପି ମୁମ୍ବାଇକୁ ଗିଳିବାକୁ ଚାହୁଁଛି । ସେ ବିଜେପି ନେତାଙ୍କ ତୁଳନା ଆଫଗାନ ଆକ୍ରମଣକାରୀ ଅହମ୍ମଦ ଶାହ ଅବଦାଲୀ ସହ କରିଛନ୍ତି ।
ସେ ଦାବି କରିଛନ୍ତି ଯେ, ବିଜେପି କେବଳ ମୁମ୍ବାଇକୁ କବଜା କରିବାକୁ ଆସିଛି । ଅସଲ ଅବଦାଲି ପୁଣି ଥରେ ଆସିଛି । ଏଥର ଏହି ଅବଦାଲି ଦିଲ୍ଲୀ ଓ ଗୁଜରାଟରୁ ଆସିଛି । ଯଦି ସେମାନେ ଆମ ସହର ନେବାକୁ ଚେଷ୍ଟା କରିବେ ତେବେ ସେମାନଙ୍କର କବର ଆମ ମାଟିରେ ତିଆରି ହେବ । ଶିବସେନାର ୟୁବିଟି ମୁଖ୍ୟ ମହାରାଷ୍ଟ୍ରର ରାଜନୈତିକ ଓ ଆର୍ଥିକ ଲୁଟକୁ ଐତିହାସିକ ବ୍ୟକ୍ତିଙ୍କ ସହ ଯୋଡିଛନ୍ତି । ଗୁଜରାଟି ନେତା ମୋରାରଜୀ ଦେଶାଇ ନିଜର କାର୍ଯ୍ୟକାଳରେ ମହାରାଷ୍ଟ୍ରର ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇବାକୁ ଆଦେଶ ଦେଇଥିଲେ।
Also read: କର୍କଟ ରୋଗୀଙ୍କୁ ଚୂନ ଲଗାଇଲେ ଠକ, ପୋଲିସ ଅଧୀକ୍ଷକଙ୍କ ଦ୍ବାରସ୍ଥ ହେଲେ ମହିଳା