ନୂଆଦିଲ୍ଲୀ: ଦେଶର ବିଦ୍ୟାଳୟରେ ନାମ ଲେଖାକୁ ନେଇ ବଡ଼ ରିପୋର୍ଟ ସାମ୍ନାକୁ ଆସିଛି । ପ୍ରାୟ ୮୦୦୦ ବିଦ୍ୟାଳୟରେ ‘ଶୂନ୍ୟ ନାମଲେଖା’ । ଅର୍ଥାତ ଜଣେ ବି ପିଲା ନାମ ଲେଖାଇ ନାହାଁନ୍ତି, ତଥାପି ୨୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ମାସକୁ ମାସ ଦରମା ପାଉଛନ୍ତି ।
ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ୨୦୨୪-୨୫ ଶିକ୍ଷା ବର୍ଷରେ ଦେଶର ୭,୯୯୩ଟି ସରକାରୀ ବିଦ୍ୟାଳୟରେ ଜଣେ ବି ଛାତ୍ର ନାମ ଲେଖାଇ ନାହାଁନ୍ତି । କିନ୍ତୁ ୨୦,୮୧୭ ଜଣ ଶିକ୍ଷକ ଦରମା ପାଉଛନ୍ତି । ‘ଶୂନ୍ୟ ନାମଲେଖା’ (ଜିରୋ ଏନରୋଲମେଣ୍ଟ) ତାଲିକାରେ ସବୁଠୁ ଆଗରେ ରହିଛି ପଶ୍ଚିମବଙ୍ଗ । ଯେଉଁଠି ୩,୮୧୨ଟି ବିଦ୍ୟାଳୟରେ ୧୭, ୯୬୫ ଜଣ ଶିକ୍ଷକ ଚାକିରୀ କରିଛନ୍ତି । ସେହିପରି ଦ୍ୱିତୀୟ ନଂରେ ଥିବା ତେଲେଙ୍ଗାନାରେ ୨,୨୪୫ ଟି ବିଦ୍ୟାଳୟରେ ୧୦୧୬ ଜଣ ଶିକ୍ଷକ ଦରମା ନେଉଛନ୍ତି । ମଧ୍ୟ ପ୍ରଦେଶରେ ୪୬୩ଟି ସ୍କୁଲରେ ୨୨୩ ଶିକ୍ଷକ ଥିବାବେଳେ ଏଠାରେ ମଧ୍ୟ ନାମ ଲେଖା ହୋଇନାହିଁ । ଉତ୍ତର ପ୍ରଦେଶର ୮୧ଟି ସ୍କୁଲ ସାମିଲ ରହିଛି ।
ତେବେ ଗତ ବର୍ଷ ଅପେକ୍ଷା ଏହି ସଂଖ୍ୟାରେ ୩୮ ପ୍ରତିଶତ ହ୍ରାସ ପାଇଛି । ଗତବର୍ଷ ମୋଟ ୧୨,୯୫୪ ଟି ବିଦ୍ୟାଳୟରେ କୌଣସି ନାମ ଲେଖା ହୋଇନଥିଲା ।
ସେହିପରି କିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ‘ଶୂନ୍ୟ ନାମଲେଖା’ ମାମଲା ଆସିନାହିଁ । ଏଥିରେ ରହିଛନ୍ତି ହରିୟାଣା, ମହାରାଷ୍ଟ୍ର, ଗୋଆ, ଆସାମ, ହିମାଚଳ ପ୍ରଦେଶ, ଛତିଶଗଡ଼, ନାଗାଲାଣ୍ଡ, ସିକ୍କିମ ଏବଂ ତ୍ରିପୁରା । କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ହେଲା ଦିଲ୍ଲୀ, ପଣ୍ଡିଚେରୀ, ଲାକ୍ଷାଦ୍ୱୀପ, ଦାଦ୍ରା-ନଗର ହାବେଳୀ, ଆଣ୍ଡାମାନ ଓ ନିକୋବର ଏବଂ ଦାମନ ଡିଉ ମଧ୍ୟ ସାମିଲ ।
ସେହିପରି କିଛି ବିଦ୍ୟାଳୟମାନଙ୍କରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ରହିଛନ୍ତି । ଦେଶରେ ୧ ଲକ୍ଷ ସ୍କୁଲରେ ୩୩ ଲକ୍ଷ ଛାତ୍ରଛାତ୍ରୀ ଥିବାବେଳେ , ସେଠାରେ ମାତ୍ର ଜଣେ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ୨୦୨୨-୨୩ ଶିକ୍ଷା ବର୍ଷରେ ୧,୧୮,୧୯୦ଟି ଏପରି ବିଦ୍ୟାଳୟ ଥିବାବେଳେ ୨୦୨୩-୨୪ରେ ଏହା ହ୍ରାସ ପାଇ ୧,୧୦,୯୭୧କୁ ଖସିଆସିଛି । ଏଭଳି ସ୍କୁଲ ଥିବା ରାଜ୍ୟମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଆଗରେ ରହିଛି । ଏହା ପରେ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ଲାକ୍ଷାଦ୍ୱୀପ ରହିଛି ।
ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା ଅନୁଯାୟୀ, ଶିକ୍ଷା ରାଜ୍ୟ ସରକାରଙ୍କ ଅଧିନରେ ଆସୁଛି । ତେଣୁ ଏହି ସବୁ ରାଜ୍ୟର ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ସ୍କୁଲ ଗୁଡ଼ିକର ଭିତ୍ତିଭୂମି ଏବଂ ଶିକ୍ଷକଙ୍କ ମଧ୍ୟରେ ମିଶ୍ରଣ କରାଯାଇଛି ।