ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧିନରେ କାର୍ୟ୍ୟରତ ସମସ୍ତ କର୍ମଚାରୀ ଏବଂ ଅବସର ପ୍ରାପ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି । ଦୀର୍ଘ ମାସର ଅପେକ୍ଷା ପରେ ମଙ୍ଗଳବାର ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ଆୟୋଗର ସୁପାରିଶ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ଏବଂ ଭତ୍ତା ବୃଦ୍ଧି କରାଯିବ। ଏହା ସହିତ ଅଷ୍ଟମ ବେତନ ଆୟୋଗର ସମସ୍ତ ସର୍ତ୍ତଗୁଡ଼ିକୁ ମଞ୍ଜୁରି ମିଳିଛି ।
କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ୮ମ ବେତନ ଆୟୋଗରେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷ, ଜଣେ ସଦସ୍ୟ ଏବଂ ଜଣେ ସଚିବ ରହିବେ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କୁ ଅଧ୍ୟକ୍ଷଭାବେ ନିଯୁକ୍ତି ଦିଆଯାଇଛି । ଆଇଆଇଏମ୍ ବେଙ୍ଗାଲୁରୁର ପ୍ରଫେସର ପୁଲକ ଘୋଷ ଏବଂ ଏମଓ ପିଏନଜି ସଚିବ ପଙ୍କଜ ଜୈନ ସଦସ୍ୟ ରହିବେ । କମିଶନର ଗଠନ ହେବାର ୧୮ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବ । ଆବଶ୍ୟକ ଅନୁଯାୟୀ କମିଶନ ଅନ୍ତରୀଣ ରିପୋର୍ଟ ଦାଖଲ କରିପାରିବେ ।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ ୨୦୨୬ ଜାନୁୟାରୀ ପହିଲାରୁ ସୁପାରିଶ ଲାଗୁ ହେବ । ୨୦୨୭ ସୁଦ୍ଧା କର୍ମଚାରୀଙ୍କ ଦରମା ଏବଂ ବେତନ ରିଭାଇଜ୍ ହେବ ବୋଲି ଅନୁମାନ କରାଯାଉଛି । ଏହା ଦ୍ୱାରା ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୯ ଲକ୍ଷ ପେନସନଧାରୀ ଉପକୃତ ହେବ ।
ସେହିପରି ଆୟୋଗ କେତେ ଗୁଡ଼ିଏ ବିନ୍ଦୁ ଉପରେ ବିଶେଷ ଧ୍ୟାନ ଦେବେ ।
- ୮ମ ବେତନ ଆୟୋଗ, ନିଜ ରିପୋର୍ଟ ଦାଖଲ କରିବା ସମୟରେ ଅନେକ ପ୍ରସଙ୍ଗ ଉପରେ ଧ୍ୟାନରେ ରଖିବେ ।
- ଦେଶର ଆର୍ଥିକ ସ୍ଥିତି ଏବଂ ରାଜକୋଷ ଅନୁଶାସନର ଆବଶ୍ୟକତା କେତେ ହେବ
- ବିକାଶତ୍ମକ ବ୍ୟୟ ଏବଂ କଲ୍ୟାଣକାରୀ ଉପାୟରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ଉପଲବ୍ଧ ଅଛି କି ନାହିଁ ସୁନିଶ୍ଚିତ କରିବେ ।
- କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ରର ଉପକ୍ରମ ଏବଂ ଘରୋଇ କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ଉପଲବ୍ଧ ବେତନର ଗଠନ, ଲାଭ ଏବଂ କାର୍ଯ୍ୟ ସ୍ଥିତି ଉପରେ ଧ୍ୟାନ ଦେବେ ।