ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଛି ପୁଷ୍କର ମେଳା । ଯେଉଁଥିରେ ସମସ୍ତ ନିଜର ପାଳିତ ପଶୁମାନଙ୍କ ସହିତ ଅଂଶ ଗ୍ରହଣ କରିଛନ୍ତି । ବହୁତ ପାଳିତ ପଶୁଙ୍କୁ ଦେଖିବାକୁ ମିଳୁଛି । କିନ୍ତୁ ସବୁଠାରୁ ଅଧିକ ଧ୍ୟାନ ଆକର୍ଷଣ କରିଛନ୍ତି ଘୋଡ଼ା ଏବଂ ମଇଁଷି । ଏମାନଙ୍କ ଦାମ୍ ଶୁଣିଲେ ମୁଣ୍ଡ ଘୁରାଇ ଦେବ । ଏକ ଦାମୀ ଘର କିମ୍ବା କମ୍ପାନୀ ସହିତ ଏମାନଙ୍କ ମୂଲ୍ୟ ସମାନ । ଘୋଡ଼ାର ଦାମ ୧୫ କୋଟି ହୋଇଥିବାବେଳେ ମଇଁଷିର ମୂଲ୍ୟ ୨୩ କୋଟି । ଯାହାକି ଦେଶ ବିଦେଶରୁ ଆସିଥିବା ବ୍ୟବସାୟୀ, ପର୍ୟ୍ୟଟକ ଏବଂ ଦେଖଣାହାରୀଙ୍କ ପାଇଁ ଆକର୍ଷଣର ବିନ୍ଦୁ ପାଲଟିଛି ।
ଘୋଡ଼ାର ନାଁ ଶେହବାଜ, ବୟସ ମାତ୍ର ଅଢ଼େଇ ବର୍ଷ । ଚଣ୍ଡିଗଡ଼ର ବାସିନ୍ଦା ଗ୍ୟାରୀ ଗିଲଙ୍କ ପାଖରେ ଏହି ଘୋଡ଼ା ରହିଛି । ଯାହାର ମୂଲ୍ୟ ୧୫ କୋଟି ଅଟେ । "ଅଢ଼େଇ ବର୍ଷର ଘୋଡା ଶାହବାଜ ଅନେକ ଶୋ ଜିତିଛି ଏବଂ ଏକ ପ୍ରତିଷ୍ଠିତ ବଂଶର ଅଟେ । ମାଲିକ ଗ୍ୟାରୀ ଗିଲ କହିଛନ୍ତି, ତାର ବେଶଭୁଷାରେ ଖର୍ଚ୍ଚ ୨ ଲକ୍ଷ ଟଙ୍କା ଏବଂ ତାଙ୍କୁ ୯ କୋଟି ଟଙ୍କା ପର୍ଯ୍ୟନ୍ତ ଅଫର୍ ମିଳିଛି । କେବଳ ଘୋଡାର ପ୍ରଜନନ ଖର୍ଚ୍ଚ ୨ ଲକ୍ଷ ଟଙ୍କା ଏବଂ ଦର୍ଶକମାନେ ଏହି ପ୍ରଶଂସନୀୟ ମାରୱାଡି ପ୍ରଜାତିର ଏକ ଝଲକ ଦେଖିବା ପାଇଁ ଲମ୍ବା ଧାଡ଼ିରେ ଠିଆ ହେଉଛନ୍ତି ।
ସେହିପରି ରାଜସ୍ଥାନର ଏକ ମଇଁଷି ନାଁ ‘ଅନମୋଲ’ । ଯାହାର ମୂଲ୍ୟ ୨୩ କୋଟି ଟଙ୍କା । ମାଲିକଙ୍କ ମୁତାବକ ଅନମୋଲର ଲାଳନପାଳନ କୌଣସି ରାଜ ପରିବାରର ରାଜକୁମାରଠାରୁ ବି କମ୍ ନୁହେଁ । ତାକୁ ପ୍ରତିଦିନ ସ୍ୱତନ୍ତ୍ର ଖାଦ୍ୟ ଦିଆଯାଏ ଯେଉଁଥିରେ କ୍ଷୀର, ଦେଶୀ ଘିଅ ଏବଂ ଶୁଖିଲା ଫଳ ଅନ୍ତର୍ଭୁକ୍ତ ।
ପୁଷ୍କର ମେଳାର ଆଉ ଜଣେ ସୁପରଷ୍ଟାର ଘୋଡ଼ା ହେଉଛି ‘ବାଦଲ’। ତାଠାରୁ ୨୮୫ଟି ଘୋଡ଼ା ଜନ୍ମ ନେଇ ସାରିଲେଣି । ସେ ତୃତୀୟ ଥର ପାଇଁ ମେଳାକୁ ଆସିଛି । ତାଙ୍କ ମାଲିକ ୧୧ କୋଟି ଟଙ୍କା ପର୍ୟ୍ୟନ୍ତ ପ୍ରସ୍ତାବ ପାଇଛନ୍ତି କିନ୍ତୁ ସେ ତାଙ୍କୁ ବିକ୍ରି କରିବାକୁ ମନା କରିଦେଇଛନ୍ତି।
ମଧ୍ୟପ୍ରଦେଶ ଉଜ୍ଜୟିନୀରୁ ରାଣା ନାମକ ଏକ ମହିଁଷି ମଧ୍ୟ ପୁଷ୍କର ମେଳାରେ ଅଂଶ ଗ୍ରହଣ କରିଛି । ଯାହାର ମୂଲ୍ୟ ୨୫ ଲକ୍ଷ ଟଙ୍କା । ଯାହାର ଓଜନ ୬୦୦ କିଲୋଗ୍ରାମ, ୮ ଫୁଟ ଲମ୍ବା ଏବଂ ୫.୫ ଫୁଟ ଉଚ୍ଚ । ପ୍ରାୟ ସାଢ଼େ ତିନି ବର୍ଷ ବୟସର ଏହି ମହିଷକୁ ପ୍ରତିଦିନ ୧୫୦୦ ଟଙ୍କାର ଖାଦ୍ୟ ଆବଶ୍ୟକ । ଖାଦ୍ୟରେ ଚଣା, ଅଣ୍ଡା, ତେଲ, କ୍ଷୀର, ଘିଅ ଏବଂ ଲିଭର୍ ଟନିକ୍ ଦିଆଯାଏ ।