ଗଜପତି: ବାତ୍ୟା ‘ମୋନ୍ଥା’ର ପ୍ରଭାବ ଆରମ୍ଭ ହୋଇ ସାରିଛି । ଗଜପତି ଜିଲ୍ଲାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ସେମାନଙ୍କ ରହିବା ପାଇଁ ଆଶ୍ରୟସ୍ଥଳୀର ଆୟୋଜନ କରି ଗ୍ରାମବାସୀଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦେଉଛନ୍ତି ।
ତେବେ ଜିଲ୍ଲାର କାଶୀନଗର ବ୍ଲକ ପାର୍ତ୍ତଡା ପଞ୍ଚାୟତର ଲିଙ୍ଗା-ବାରଭା ରାସ୍ତାରେ ଭୂସ୍ଖଳନ ହୋଇଛି । ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ପଡ଼ିରହିଛି । ଏହି ରାସ୍ତା ଗୁମ୍ମା ଏବଂ କାଶୀନଗରକୁ ସଂଯୋଗ କରେ । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପ୍ରଶାସନ ପକ୍ଷରୁ ରାସ୍ତା ସଫେଇ କାମ ଆରମ୍ଭ କରାଯାଇଛି । ଜେସିବି ମେସିନ୍ ସାହାଯ୍ୟରେ ପଥର ଖଣ୍ଡ ଗୁଡ଼ିକୁ ହଟାଯାଇଛି । ଅତିରିକ୍ତ ଜିଲ୍ଲା ଫାଲଗୁନୀ ମାଝୀ ମଧ୍ୟ ଘଟଣା ସ୍ଥଳରେ ପହଁଚିଛି । ଏହି ରାସ୍ତାରେ ଲଘୁଚାପ ବର୍ଷାରେ ମଧ୍ୟ ଭୂସ୍ଖଳନ ହୋଇଥାଏ ।
ସୂଚନା ଅନୁସାରେ, ଗଜପତି ଜିଲ୍ଲାରେ ୧୩୯ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଛି । ଆର୍.ଉଦୟଗିରି, ଗୁମ୍ମା, ମୋହନା ଓ ରାୟଗଡ଼ ବ୍ଲକ୍ ରେ ଭୂସ୍ଖଳନ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୧୨୭ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ୫୪୭୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ତତସହିତ ୧୬୦ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ମା ଗୃହରେ ରଖାଯାଇଛି ।