ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟା ପରେ ସ୍ଥଳ ଭାଗରେ ତାଣ୍ଡବ କରିବା ବାତ୍ୟା ମୋନ୍ଥା । ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛନ୍ତି । ଜିରୋ କାଜୁଆଲଟି ଉପରେ ସର୍ବାଗ୍ରେ ଗୁରୁତ୍ୱ ଦେଇଛନ୍ତି ସରକାର । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଯେପରି ଗୋଟିଏ ଜୀବନ ପ୍ରାଣ ହାନି ନ ହୁଏ ସେଥିପାଇଁ ସମସ୍ତେ ସଜାଗ ରହିଛନ୍ତି ।
ସରକାରଙ୍କ ଫୋକସ୍ 'ଜିରୋ କାଜୁଆଲଟି'
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନରେ ବାତ୍ୟା ମୋନ୍ଥାର ମୁକାବିଲା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ, କୃଷି, ସ୍ୱାସ୍ଥ୍ୟ ଆଦି ବିଭିନ୍ନ ବିଭାଗକୁ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ବାତ୍ୟା ଦାନା ଭଳି ମୋନ୍ଥାରେ ଜିରୋ କାଜୁଆଲ୍ଟିର ଲକ୍ଷ୍ୟ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୌଣସି ବିପଦ ସଂକୁଳ ଅଞ୍ଚଳରେ ଯେପରି ଜଣେ ବି ଲୋକ ରହିଯିବେ ନାହିଁ, ସମସ୍ତେ ବାତ୍ୟା-ବନ୍ୟା ଆଶ୍ରୟ ସ୍ଥଳ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନାନ୍ତରିତ ହେବେ, ତାକୁ ଅଧିକାରୀ ମାନେ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାପରେ ଯେପରି ବିଭିନ୍ନ ଜରୁରୀ ବ୍ୟବସ୍ଥା ଯଥା ଗଛ କଟା, ରାସ୍ତା ସଫା, ବିଦ୍ୟୁତ ଯୋଗାଣ, ପାଣି ଯୋଗାଣ ଭଳି ସେବାଗୁଡ଼ିକ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଫସଲ ଅମଳ ସମୟ ହେଉଥିବାରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
୧୧,୩୯୬ ଜଣ ଲୋକଙ୍କୁ ସ୍ଥାନାନ୍ତରିତ
ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର, ପୋଲିସ ମହାନିର୍ଦ୍ଦେଶକ ଓ ବିଭିନ୍ନ ବିଭାଗର ସଚିବ ମାନେ ବିଭାଗୀୟ ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତଥ୍ୟ ଉପସ୍ଥାପନା କରିଥିଲେ। ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ୮ଟି ଜିଲ୍ଲାରେ ବାତ୍ୟାର ସର୍ବାଧିକ ପ୍ରଭାବ ରହିବ । ଏହି ଜିଲ୍ଲାମାନଙ୍କରେ ୨୦୪୮ଟି ବାତ୍ୟା-ବନ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରହିଥିବାବେଳେ, ବର୍ତ୍ତମାନ ସୁଦ୍ଧା ୮ଟି ଜିଲ୍ଲାରେ ୧୧,୩୯୬ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଆବଶ୍ୟକ ହେଲେ ଆହୁରି ୩୦,୫୫୪ ଜଣଙ୍କୁ ସ୍ଥାନାନ୍ତରିତ କରାଯିବ । ୧୮୭୧ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଆହୁରି ୮୨୨ ଜଣଙ୍କୁ ସ୍ଥାନାନ୍ତରିତ କରାଯିବ । ସମୁଦାୟ ୨୬୯୩ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ ।
ସଜାଗ ଓଡ୍ରାଫ, ଏନ୍.ଡି.ଆର୍.ଏଫ ଏବଂ ଅଗ୍ନିଶମ
ବାତ୍ୟାର ମୁକାବିଲା ପାଇଁ ୩୦ ଟି ଓଡ୍ରାଫ, ୫ଟି ଏନ୍.ଡି.ଆର୍.ଏଫ ଏବଂ ୧୨୩ଟି ଅଗ୍ନିଶମ ଦଳକୁ ମୁତୟନ କରାଯାଇଛି। ଆହୁରି ଅଧିକ ଟିମ୍ ଆଲର୍ଟରେ ଅଛନ୍ତି । ଆବଶ୍ୟକ ପଡିଲେ ନିୟୋଜିତ କରାଯିବ ।
ନିରବଛିନ୍ନ ବିଦ୍ୟୁତ ସରବରାହ ଓ ପାନୀୟ ଜଳ ଯୋଗାଣ ପାଇଁ ଇଞ୍ଜିନିୟରିଂ ବିଭାଗ ଗୁଡିକ ପ୍ରସ୍ତୁତ ହୋଇ ଅଛନ୍ତି । ବିକଳ୍ପ ଭାବେ ସମସ୍ତ ଜରୁରୀ ସେବା ସଂସ୍ଥା ଗୁଡିକରେ ଡିଜି ସେଟ୍ ମହଜୁଦ ରଖାଯାଇଛି । ସମସ୍ତ ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ସାପକାମୁଡା ଇଞ୍ଜେକ୍ସନ୍, ଔଷଧ ଓ ଚିକିତ୍ସା କିଟ୍ ମହଜୁଦ୍ ରଖାଯାଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଓ ପାହାଡିଆ ଅଞ୍ଚଳରେ ଭ୍ରମଣ ପାଇଁ ପର୍ଯ୍ୟଟକ ମାନଙ୍କୁ ନିଷେଧ କରାଯାଇଛି । ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି। ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଆବଶ୍ୟକହେଲେ ଛୁଟିର ସମୟସୀମା ବଢାଯିବ।