ଭୁବନେଶ୍ୱର: ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡକୁ ମାଡି ଆସୁଛି ମୋନ୍ଥା। ବାତ୍ୟା ‘ମୋନ୍ଥା’ର ଗତି ଏବଂ ଅବସ୍ଥିତି ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋନ୍ଥା ଗତ ୬ ଘଣ୍ଟାରେ ୧୫ କିଲୋମିଟର ପ୍ରତିଘଣ୍ଟା ବେଗରେ ଗତି କରୁଛି। ସନ୍ଧ୍ୟାରେ ଆନ୍ଧ୍ରରେ ଏହା ସ୍ଥଳଭାଗ ଛୁଇଁବ। ଆଜି ସନ୍ଧ୍ୟା ୫ଟା ୩୦ ବେଳକୁ ଏହା ଅଧିକ କେନ୍ଦ୍ରୀଭୂତ ହୋଇ ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ଏହା ସେହି ଅଞ୍ଚଳ ଉପରେ ଅବସ୍ଥିତ, ୧୪.୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୩.୧ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ, ଆନ୍ଧ୍ରପ୍ରଦେଶ ମଛଲିପଟନମରୁ ପ୍ରାୟ ୧୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ, କାକିନାଡା ରୁ ୨୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ, ବିଶାଖାପଟନମରୁ ୩୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ, ଓଡିଶାର ଗୋପାଳପୁରରୁ ୫୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦୂରରେ ରହିଛି।
ବାତ୍ୟା ପ୍ରଭାବରେ ଏବେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। କୋରାପୁଟ, ପୁରୀ, ରାୟଗଡା, ଖଲ୍ଲିକୋଟ ଆଦି ସ୍ଥାନରେ ବର୍ଷା ଲାଗି ରହିଛି। ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ୮୦ କିଲୋମିଟର ବେଗର ପବନ ବହିବ। ଝଟକା ପବନ ୧୧୦ ପର୍ଯ୍ୟନ୍ତ ରହିବ।
ଆଜି ବର୍ଷା ପାଇଁ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂ୍ଆପଡ଼ା, ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ୨୯ ତାରିଖ ପାଇଁ କଳାହାଣ୍ଡି, ରାୟଗଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି କୁ ରେଡ ଆଲର୍ଟ ଜାରି କରିଛି ଆଇଏମଡି। ଏଥିସହ ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।