ଭୁବନେଶ୍ୱର : ବାତ୍ୟା ମୋନ୍ଥା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଏନେଇ ଆଜି ଲୋକସେବା ଭବନରେ ବାତ୍ୟା ମୁକାବିଲା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟ ଶାସନ ସଚିବ ଏସ୍ଆର୍ସି ମଧ୍ଯ ଉପସ୍ଥିତ ରହିଥିଲେ । ଭିସିରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ଯୋଗଦେଇଥିଲେ। ପୋଲିସ ଡିଜି, ଅଗ୍ନିଶମ ଡିଜି ସହ ଅନ୍ୟ ବିଭାଗୀୟ ଅଧିକାରୀ ସାମିଲ୍ ରହିଥିଲେ । ବାତ୍ୟା ସମୟରେ ଏବଂ ଛାଡିଲା ପରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ କିପରି ଜିରୋ କାଜୁଆଲିଟି ହେବ ସେନେଇ ମୁଖ୍ଯମନ୍ତ୍ରୀ ଆଲୋଚନା କରିଛନ୍ତି। ବାତ୍ୟାର ମୁକାବିଲା କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ପ୍ରତି ବ୍ଲକରେ ହେଲ୍ପ ଡେସ୍କ ଖୋଲିଛି । ଏହା ସହିତ ପ୍ରଶାସନ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ଯବସ୍ଥା କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରଭାବରେ ବର୍ଷା ଆରମ୍ଭହୋଇଯାଇଛି। ବିଶେଷକରି ୮ଟି ଜିଲ୍ଲା ଆଜି ଓ କାଲି ପ୍ରଭାବିତ ହେବ ।
ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ଯମନ୍ତ୍ରୀ ଆହୁରି କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର ସରିଛି। ୩୦ ହଜାର ୫୯୪ ଜଣଙ୍କୁ ସ୍ଥାନାନ୍ତର କରିବା ଲକ୍ଷ୍ୟ ରହିଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ। ୧୮୭୧ ଗର୍ଭବତୀ ମହିଳାଙ୍କୁ ମେଡିକାଲ୍ ନିଆଯାଇଛି। ଆଉ ୮୨୨ ଗର୍ଭବତୀଙ୍କୁ ମଧ୍ୟ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରହିଛି।ଦକ୍ଷିଣ ଓଡ଼ିଶା ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ବାରଣ କରାଯାଇଛି। ଯେପରି କୌଣସି ଧନଜୀବନ ନଷ୍ଟ ନେବ ସେନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ସରକାର।
ସେପଟେ କ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ସାରିଛି। ରାୟଗଡ଼ା କାଶୀନଗରରେ ପ୍ରବଳ ବର୍ଷା ଯୋଗୁଁ ଏକ ପାହାଡ଼ ଧସି ଯାଇଛି । ଗରବା ଓ ଲିଙ୍ଗା ମଝି ରାସ୍ତାରେ ହୋଇଛି ଭୂସ୍ଖଳନ ହୋଇଛି ।ଗୁମ୍ମା-କାଶୀନଗରକୁ ସଂଯୋଗ କରୁଥିଲା ଏହି ରାସ୍ତା । ପାହାଡ଼ ଧସିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’ । ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି। ମଛଲିପଟନମ ଠାରୁ ୧୪୦, କାକିନାଡ଼ା ଠାରୁ ୨୪୦ କିମି ଦୂରରେ ରହିଛି ବାତ୍ୟା।ଗୋପାଳପୁର ଠାରୁ ୫୩୦ କିମି ଦୂରରେ 'ମୋନ୍ଥା'। ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ 'ମୋନ୍ଥା'। ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ 'ମୋନ୍ଥା'। ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।