ଭୁୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଘୂର୍ଣ୍ଣିଂଝଡ ମୋନ୍ଥା ବଳ ଗୋଟାଇ ସ୍ଥଳଭାଗ ଆଡକୁ ମାଡି ଆସୁଛି । ମଙ୍ଗଳବାର ଏହା ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ । ଏହା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ । ବର୍ତ୍ତମାନ ବାତ୍ୟା ମୋନ୍ଥା ଘଣ୍ଟା ପ୍ରତି ୧୮ କିମି ବେଗରେ ଆଗକୁ ବଢୁଛି । ଏହାର ପ୍ରଭାବ ଦକ୍ଷିଣ ଓଡିଶା ସହ ଉପକୂଳବର୍ତ୍ତୀ ଓଡିଶାରେ ଦେଖିବାକୁ ମିଳିଛି । ପ୍ରଭାବରେ ପୁରୀରେ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ପାଗ ମେଘୁଆ ରହିବା ସହ କୋହଲା ପବନ ମାରୁଛି । ଦକ୍ଷିଣ ଓଡିଶାରେ ପବନ ସହ ବର୍ଷା ଲାଗି ରହିଛି ।
ଗତ ୧୨ ଘଣ୍ଟା ଧରି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ପ୍ରଣାଳୀ ମଙ୍ଗଳବାରଠାରୁ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏବଂ ରାତିରେ ବିଶାଖାପାଟଣାର ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏହା କାକିନାଡିରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କିମି ରହିବାର ସମ୍ଭାବନା ରହିଛି । କିନ୍ତୁ ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଜପତି, କୋରାପୁଟ, ରାୟଗଡ଼ା ଏବଂ ନବରଙ୍ଗପୁର ଜିଲ୍ଲାରେ ଏହା ଘଣ୍ଟା ପ୍ରତି ୪୫ ରୁ ୫୦ କିଲୋମିଟରକୁ ହ୍ରାସ ପାଇବ।
ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଓଡ଼ିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହୋଇଯିବ। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଘଣ୍ଟା ପ୍ରତି ୨୫ରୁ ୩୫ କିଲୋମିଟର ବେଗରେ ପବନ ବହିପାରେ। ଦକ୍ଷିଣ ଓଡ଼ିଶା ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ। ମଙ୍ଗଳବାର ଏବଂ ବୁଧବାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ନୂଆପଡ଼ା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ବୁଧବାର ଏବଂ ଗୁରୁବାର ଓଡ଼ିଶାର ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବାତ୍ୟା ମୋନ୍ଥା ବର୍ତ୍ତମାନ ଚେନ୍ନାଇଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିବାବେଳେ, କାକିନାଡ଼ାଠାରୁ ୪୬୦ କିଲୋମିଟର ଦୂରରେ ରହିଛି। ଗୋପାଳପୁରଠାରୁ ୫୦୦କିଲୋମିଟର ଦୂରରେ ଅଛି।
Also read: ଚିନ୍ତା ବଢ଼ାଇଲାଣି ଭୂସ୍ଖଳନ: ଅଧିକ ବର୍ଷା ହେଲେ ଧସିପାରେ ମାଟି, କଳିଙ୍ଗା ଘାଟି ରାସ୍ତା ବନ୍ଦ