ନୂଆଦିଲ୍ଲୀ: ମହିଳା ବିଶ୍ୱକପର ନକଆଉଟ୍ ପର୍ଯ୍ୟାୟ ପୂର୍ବରୁ ପ୍ରତିକା ରାୱଲ ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଶେଫାଲି ବର୍ମାଙ୍କୁ ଟିମ୍ ଇଣ୍ଡିଆରେ ସାମିଲ୍ କରାଯାଇଛି। ବିଶ୍ୱକପ୍ ଟେକ୍ନିକାଲ୍ କମିଟି ପ୍ରତୀକା ରାୱଲଙ୍କ ସ୍ଥାନରେ ଶେଫାଲି ବର୍ମାଙ୍କୁ ଟିମ୍ ଇଣ୍ଡିଆର ଦଳରେ ସାମିଲ କରିବା ପାଇଁ ବିସିସିଆଇର ଅନୁରୋଧକୁ ମଞ୍ଜୁରୀ ଦେଇଛି। ଭାରତର ସେମିଫାଇନାଲ ମ୍ୟାଚ୍ ଅକ୍ଟୋବର ୩୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନୁଷ୍ଠିତ ହେବ।
ଆଇସିସି ସୋମବାର ନିଜ ବୟାନରେ କହିଛି, ବାଂଲାଦେଶ ବିପକ୍ଷ ଲିଗ୍ ମ୍ୟାଚରେ ଫିଲ୍ଡିଂ କରିବା ସମୟରେ ପ୍ରତୀକା ରାଓ୍ଵଲଙ୍କ ଡାହାଣ ପାଦରେ ଆଘାତ ଲାଗିଥିଲା। ତେଣୁ ସେ ବିଶ୍ଵକପରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାମନରେ ଶେଫାଳି ବର୍ମାଙ୍କୁ ଟିମ୍ ଇଣ୍ଡିଆରେ ସାମିଲ୍ କରାଯାଇଛି।
ପ୍ରତୀକା ରାୱଲ ଦମଦାର ଫର୍ମରେ ଥିଲେ। ତେଣୁ ତାଙ୍କ ସ୍ଥାନ ନେବା ଶେଫାଳି ବର୍ମାଙ୍କ ପାଇଁ ସହଜ ହେବନି। ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଫିଲ୍ଡିଂ କରିବା ସମୟରେ ପ୍ରତୀକା ଖସି ପଡ଼ିବାରୁ ତାଙ୍କ ପାଦ ମୋଡ଼ି ହୋଇ ଯାଇଥିଲା। ଫଳରେ ସେ ଫିଲ୍ଡିଂ କିମ୍ବା ବ୍ୟାଟିଂ କରି ପାରି ନ ଥିଲେ। ତାଙ୍କ ସ୍ଥାନରେ, ଅମନଜୋତ କୌର ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ସ୍ମୃତି ମନ୍ଧାନାଙ୍କ ସହ ଇନିଂସ ଓପନ କରିଥିଲେ। କିନ୍ତୁ, ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୋଇଯାଇଥିଲା।
ଆଘାତ ପୂର୍ବରୁ, ପ୍ରତୀକା ସାତଟି ବିଶ୍ୱକପ୍ ଇନିଂସରେ୫୧ରୁ ଅଧିକ ହାରରେ ୩୦୮ ରନ କରିଥିଲେ। ଅନ୍ୟପକ୍ଷରେ, ଖରାପ ଫର୍ମ ଯୋଗୁଁ ବିଶ୍ୱକପ୍ ଦଳରୁ ବାଦ୍ ପଡ଼ିଥିବା ଶେଫାଲି ବର୍ମାଙ୍କ ପାଖରେ ଏବେ ସେମିଫାଇନାଲରେ ଏକ ବଡ଼ ଇନିଂସ ସହିତ ଦଳରେ ସ୍ଥାନ ପାଇଁ ଦାବି କରିବାର ସୁଯୋଗ ମିଳିଛି।
ବିଶ୍ୱକପ୍ ପୂର୍ବରୁ, ଭାରତ ଏ ପାଇଁ ଖେଳି, ଶେଫାଲି ବର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ୪୯ ବଲରୁ ୭୦ ରନ କରିଥିଲେ। ଶେଫାଲି ବର୍ତ୍ତମାନ ସିନିୟର ମହିଳା ଟି ୨୦ ଟ୍ରଫିରେ ସର୍ବାଧିକ ରନ ସ୍କୋରର। ଏହି ଟୁର୍ଣ୍ଣାମେଣ୍ଟରେ, ସେ ୫୬.୮୩ ହାରରେ ଏବଂ ୧୮୨ ଷ୍ଟ୍ରାଇକ୍ ରେଟ୍ ସହିତ ୩୪୧ ରନ କରିଛନ୍ତି।
Also read: ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା, ଫେରିଲେ ଷ୍ଟାର ଖେଳାଳି