ଭୁବନେଶ୍ୱର: ମାଡ଼ି ଆସୁଛି ମୋନ୍ଥା । ବାତ୍ୟାର ରୂପ ନେବା ପରେ ଶକ୍ତିଶାଳୀ ହୋଇ ସ୍ଥଳଭାଗ ଆଡକୁ ମୁହାଁଇଛି । ଆଜି ସକାଳେ ସିଭୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ମୋନ୍ଥା । ଘଣ୍ଟାକୁ ୧୭ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏବେ ଗୋପାଳପୁର ଠାରୁ ୫୭୦ କିଲୋମିଟର , ମଛଲିପଟନମ ଠାରୁ ୨୩୦, କାକିନାଡ଼ା ଠାରୁ ୩୧୦ କିମି ଦୂରରେ ରହିଛି ବାତ୍ୟା । ଯାହା ଫଳରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଘଣ୍ଟାକୁ ୯୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବାର ସୂଚନା ରହିଛି । ତେବେ ଆଜି ସଂଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ବେଗ ୧୧୦ କିମି ରହିବ ।
ସେପଟେ ବାତ୍ୟା ମୋନ୍ଥାର ପ୍ରଭାବରେ ଗତକାଲି ଠାରୁ ରାଜ୍ୟରେ ବର୍ଷା ଲାଗି ରହିଛି । ଏହାସସହ ଆଜି ଓ ଆସନ୍ତାକଲି ପାଇଁ ୮ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାକୁ ଦୃଷ୍ଟିର ରଖି ଆସନ୍ତା ୩୦ ତାରିଖ ଯାଏଁ ପ୍ରଭାବିତ ହେବାକୁ ଥିବା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମରେ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।