ମୁମ୍ବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ବୁଧବାର ଖେଳାଯିବ । ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ସୂର୍ଯ୍ୟକୁମାରଙ୍କୁ ତାଙ୍କର ଖରାପ ଫର୍ମ ବିଷୟରେ ପ୍ରଶ୍ନ ହୋଇଥିଲା । କାରଣ ଚଳିତ ବର୍ଷ ଟି-୨୦ରେ ସୂର୍ଯ୍ୟଙ୍କ ପ୍ରଦର୍ଶନ ନିରାଶଜନକ ରହିଛି । ସେ ଗତ ୧୧ଟି ଇନିଂସରେ କେବଳ ୧୦୦ ରନ କରିଛନ୍ତି ।
ସୂର୍ଯ୍ୟକୁମାର ଯାଦବ ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ନିଜ ବ୍ୟାଟିଂକୁ ନେଇ କହିଛନ୍ତି ଯେ, ମୋତେ ଲାଗୁଛି ମୁଁ ବହୁତ ପରିଶ୍ରମ କରୁଛି । ଏମିତି ନୁହେଁ ଯେ, ମୁଁ ପୂର୍ବରୁ ପରିଶ୍ରମ କରୁ ନ ଥିଲି । ମୁଁ ଭାରତରେ ବି ଭଲ ସେସନ ଖେଳିଛି ଏବଂ ଅଷ୍ଟ୍ରେଲିଆରେ ମଧ୍ୟ କିଛି ସେସନ ବ୍ୟାଟିଂ କରିଛି । କିନ୍ତୁ ବ୍ୟାଟରୁ ରନ ଆସିବା ଜରୁରି । ଏହା ସହିତ ଦଳର ଲକ୍ଷ୍ୟକୁ ମଧ୍ୟ ଧ୍ୟାନ ଦେବା ଜରୁରୀ ।
ସୂର୍ଯ୍ୟକୁମାର ଯାଦବ ଏ ପର୍ଯ୍ୟନ୍ତ ୩୩୨ ଟି-୨୦ ମ୍ୟାଚରେ ୮ ହଜାର ୬୯୨ ରନ କରିଛନ୍ତି । ଏଥିରେ ୬ ଶତକ ଓ ୫୯ ଅର୍ଦ୍ଧଶତକ ସାମିଲ୍ । ଏଥିରୁ ୯୦ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୮୫ ଇନିଂସରୁ ୩୭.୦୮ ହାରରେ ୨୬୭୦ ରନ କରିଛନ୍ତି । ଏଥିରେ ୪ ଶତକ ଏବଂ ୨୧ ଅର୍ଦ୍ଧଶତକ ସାମିଲ । >
ସୂର୍ଯ୍ୟଙ୍କ ନେତୃତ୍ୱରେ ବାରତୀୟ ଦଳ ନିକଟରେ ଟି-୨୦ ଏସିଆ କପ ଚାମ୍ପିଅନ ହୋଇଛି । କିନ୍ତୁ ଟୁର୍ଣ୍ଣାମେଣ୍ଟରେ ସୂର୍ଯ୍ୟ ୬ଟି ଇନିଂସରେ କେବଳ ୭୨ ରନ କରିଛନ୍ତି । ଏବେ ଅଷ୍ଟ୍ରେଲିଆ ସିରିଜରୁ ତାଙ୍କ ବ୍ୟାଟରୁ ରନ ଆଶା କରାଯାଉଛି ।