ଟିଟିଲାଗଡ଼: କମ୍ ବୟସରେ ଅନେକ ସଫଳତା ସହ ଅଳ୍ପଦିନରେ ଅନେକ ଗୁଡିଏ ସ୍ମୃତି ଛାଡି ଚାଲିଗଲେ ଓଡ଼ିଶାର ସଙ୍ଗୀତ ଜଗତରେ ଜଣେ ପ୍ରତିଭାବାନ ଗାୟକ ହ୍ୟୁମାନ ସାଗର। ମାତ୍ର ୩୬ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ, ସମଗ୍ର ସଙ୍ଗୀତ ଜଗତରେ ସୃଷ୍ଟି କରିଛି ଅପୂରଣୀୟ କ୍ଷତି। ଆଜି ତାଙ୍କ ମରଶରୀର ଟିଟିଲାଗଡ଼ର ଜନ୍ମସ୍ଥାନ ଡେଙ୍ଗରେ ପହଁଚିଛି, ଯେଉଁଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ। ଗାଁରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଚାଲିଛି, ସ୍ଥାନୀୟ ଲୋକମାନେ ସେମାନଙ୍କ ପ୍ରିୟ କଳାକାରଙ୍କ ଶେଷ ଝଲକ ପାଇବା ପାଇଁ ଏକାଠି ହୋଇଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ଗ୍ରାମବାସୀମାନେ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି।
ହ୍ୟୁମାନ ସାଗରଙ୍କ ମୃତ୍ୟୁ ସୋସିଆଲ ମିଡିଆରେ ଶୋକର ଛାୟା ଖେଳାଇଛି, ସହକର୍ମୀ, ଜନସାଧାରଣ ଏବଂ ପ୍ରଶଂସକମାନେ ମର୍ମାହତ ଏବଂ ସମବେଦନା ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ ଝୁରୁଛନ୍ତି ପ୍ରଶଂସକ, ସମସ୍ତେ ତାଙ୍କୁ ଶେଷ ଦର୍ଶନ କରିବାକୁ ଭିଡ ଜମାଇଛନ୍ତି।
ଗତକାଲି ରାତି ପ୍ରାୟ ୯ଟା ୮ ସମୟରେ ଭୁବନେଶ୍ବର ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। AIIMS ରେ ଚିକିତ୍ସା ଏବଂ ଆଇନଗତ ଔପଚାରିକତା ସମାପ୍ତ ହେବା ପରେ, ତାଙ୍କର ପାର୍ଥିବ ଶରୀରକୁ ମଧ୍ୟରାତ୍ରିରେ କଟକସ୍ଥିତ ତାଙ୍କ ବାସଭବନକୁ ସ୍ଥାନାନ୍ତରିତ କରାଯାଇଥିଲା। ଯେଉଁଠାରେ ବହୁ ସଂଖ୍ୟକ ପ୍ରଶଂସକ, ବନ୍ଧୁ ଏବଂ ଓଡ଼ିଆ ଚଳଚ୍ଚିତ୍ର ଏବଂ ସଙ୍ଗୀତ ଜଗତର ସଦସ୍ୟମାନେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ। ତାଙ୍କ ସଙ୍ଗୀତ ମାଧ୍ୟମରେ ଅଗଣିତ ହୃଦୟକୁ ସ୍ପର୍ଶ କରିଥିବା ଗାୟକଙ୍କ ଅନ୍ତିମ ଝଲକ ପାଇଁ ପ୍ରଶଂସକମାନେ ଧାଡ଼ିରେ ଠିଆ ହେବା ସମୟରେ ଭାବପ୍ରବଣ ଦୃଶ୍ୟ ପ୍ରକାଶ ପାଇଥିଲା।
ଓଲିଉଡକୁ ଅନେକ ଗୁଡିଏ ସୁପରହିଟ୍ ସଙ୍ଗୀତ ଭେଟି ଦେଇଛନ୍ତି ହ୍ୟୁମାନ ସାଗର। ରୋମାଣ୍ଟିକ ହେଉ ଅବା ବେଦନା, କାହାଣୀ ହେଉ ଅବା କଳ୍ପନା...ସବୁଥିରେ, ସବୁବେଳେ ସେ ଥିଲେ ସୁପରହିଟ୍। ବୟସ ସିନା ଅଳ୍ପ ଥିଲା କିନ୍ତୁ ଅଭିଜ୍ଞତା ଯେମିତି ଜନ୍ମରୁ ନେଇ ଆସିଥିଲେ।
ଅଧିକ ପଢନ୍ତୁ: ହ୍ୟୁମାନ ମାଆଙ୍କ ସାଂଘାତିକ ଅଭିଯୋଗ, କହିଲେ- ମୋ ପୁଅକୁ ୟୁଜ୍ କରାଯାଇଛି