ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ ପାଇଁ କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି। ତିନି ଦିନ ଧରି ବରଗଡ ସହର ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ଚାଲିଥିଲା କାଳାକାର ଚୟନ ପ୍ରକ୍ରିୟା। ଗତକାଲି ଶେଷ ହୋଇ ସାରିଛି ଚୟନ ପ୍ରକ୍ରିୟା। ଆଜି ଦିନ ୧୧ଟାରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଘୋଷଣା ହେବ କଳାକାରଙ୍କ ନାମ । କଂସ ଭୂମିକା ପାଇଁ କିଏ ଚୟନ ହେବେ ତା ଉପରେ ରହିଛି ନଜର।
ତେବେ ଶେଷ ଦିନରେ ୪୪ ଜଣ କଳାକାର କଂସ ଭୂମିକା ପାଇଁ ଚୟନ ପ୍ରକିୟାରେ ଭାଗ ନେଇଥିଲେ, ସେଥିରୁ ୩୬ ଜଣ ଅଡିସନ ଦେଇଥିଲେ। ସମସ୍ତ କଳାକାର ପଶ୍ଚିମ ଓଡିଶାର ହୋଇଥିବା ବେଳେ ସମସ୍ତଙ୍କ ପେଶା ଭିନ୍ନ, କିଏ ଶିକ୍ଷକ ତ ଆଉ ଡ୍ରାଇଭର। ସମସ୍ତ କଳାକାର ମଞ୍ଚରେ ବେଶ ଆକର୍ଷଣୀୟ ଅଭିନୟ କରିଥିଲେ।
ଆସନ୍ତା ଡିସେମ୍ବର ୨୪ ତାରିଖରୁ ଜାନୁଆରୀ ୩ ତାରିଖ ଯାଏ୧୧ ଦିନ ଧରି ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିବ ବରଗଡ଼ ଧନୁଯାତ୍ରା। ବରଗଡ଼ ସହର ମଥୁରା ନଗରୀର ମାନ୍ୟତା ପାଇବାକୁ ଥିବା ବେଳେ ଅମ୍ବାପାଲି ସାଜିବ ଗୋପପୁର । ମହାରାଜ କଂସ ଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ମଥୁରା ନଗରୀ । କୃଷ୍ଣ ପ୍ରେମରେ ବିମୋହିତ ହେବ ଗୋପପୁର । ଦର୍ଶକ ଙ୍କୁ ମନମୁଗ୍ଧ କରିବା ପାଇଁ ଚାଲିଥିବା କଳାକାର ଚୟନ ପ୍ରକ୍ରିୟାରେ ସବୁ ଦିଗକୁ ଧ୍ୟାନ ଦିଆଯାଇଛି । ଯେଉଁ କଳାକାର ଚୟନ ହେବେ ନିଶ୍ଚିୟ ଭାବେ ନିଜ ନିଜର ପରାକାଷ୍ଠା ଦେଖାଇବେ ବୋଲି କହିଥିଲେ ବିଚାରକ ସୁବାସ ଚନ୍ଦ୍ର ପ୍ରଧାନ।