ଭୁବନେଶ୍ୱର: ରାଜ୍ୟ ପୋଲିସକୁ ମୋଟର୍ ଯାନ ଯାଞ୍ଚ ପାଇଁ ଅତିରିକ୍ତ ଅଧିକାର ପ୍ରଦାନ କରିବାକୁ ନେଇ ବସ୍ ସଂଘ ନାପସନ୍ଦ କରିଛି । ଡିସେମ୍ବର ୧ରୁ ଯଦି ପୋଲିସ ଗାଡ଼ି ଯାଞ୍ଚ ଆରମ୍ଭ କରେ ତେବେ ଘରୋଇ ବସ୍ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ।
ବସ୍ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ମୋଟର ଯାନ ପାଇଁ ପୋଲିସକୁ ଅତିରିକ୍ତ ଅଧିକାର ଦେବା ବସ୍ ମାଲିକମାନଙ୍କ ଚିନ୍ତା ବଢ଼ାଇଛି । ପୋଲିସକୁ ଅତିରିକ୍ତ କ୍ଷମତା ପ୍ରଦାନ କରିବା ସରକାରୀ ନିୟମର ଅନ୍ତର୍ଭୁକ୍ତ । କିନ୍ତୁ ପୋଲିସ ମାନେ ଅଯଥାରେ ଅଟକାଇ ହଇରାଣ କରିବେ । ୪୦ ବର୍ଷ ପୂର୍ବରୁ ଏଭଳି କ୍ଷମତା ପ୍ରଦାନ କରାଯାଇଥିଲା । କିନ୍ତୁ ସରକାରଙ୍କ ଏଭଳି ନିଷ୍ପତ୍ତି ବିଫଳ ହେବାରୁ ପୋଲିସଠାରୁ ଉକ୍ତ ଅଧିକାରକୁ ଛଡ଼ାଇ ନିଆଯାଇଥିଲା । ସଂଘ ଧାରା ୧୮୪ କୁ ସମର୍ଥନ କରିଛି । ଏହା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ପାଇଁ ଉପଯୋଗୀ ଥିବାରୁ ଆମେ ଏହାକୁ ସମର୍ଥନ କରିଥିଲୁ। କିନ୍ତୁ ପୋଲିସ କର୍ତ୍ତୃପକ୍ଷଙ୍କ ନିଜର କ୍ଷମତା ପରିସରକୁ ଧୀରେ ଧୀରେ ବୃଦ୍ଧି କରୁଛନ୍ତି । ଏହା ଅତ୍ୟନ୍ତ ଚିନ୍ତା ଜନକ । ଏ ପ୍ରସ୍ତାବ ଉପରେ ପୁନର୍ବିଚାର କରିବାକୁ ସଂଘ ପକ୍ଷରୁ ସରକାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଜୁଲାଇ ୮ ତାରିଖରେ ଡ୍ରାଇଭର୍ ମହାସଂଘ ପକ୍ଷରୁ ବାଣିଜ୍ୟିକ ଯାନବାହନ ଚାଳକଙ୍କ ଦ୍ୱାରା ରାଜ୍ୟବ୍ୟାପୀ 'ଷ୍ଟିଅରିଂ ଛାଡ଼ ପ୍ରତିବାଦ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା ବୋଲି ସାଧାରଣ ସମ୍ପାଦକ କହିଛନ୍ତି ।
ନଭେମ୍ବର ୨୫ ତାରିଖରେ ସଂଘର ଆଉ ଏକ ସାଧାରଣ ବୋର୍ଡ ବୈଠକ ବସିବ । ଯଦି ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଡିସେମ୍ବର ୧ ରୁ ସାରା ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।