ଭୁୁବନେଶ୍ୱର: ନୂଆପଡା ଉପନିର୍ବାଚନର ଫଳାଫଳ ଆସିବା ପରେ ଏବେ ରାଜ୍ୟର ବିଜେପି ସରକାର ବୋର୍ଡ ନିଗମ ନିଯୁକ୍ତି ନେଇ ପ୍ରକ୍ରିୟା ଜୋରଦାର କରିଛନ୍ତି । କାରଣ ସରକାରଙ୍କୁ ୧୫ ମାସରୁ ଅଧିକ ସମୟ ଅତିବାହିତ ହୋଇଥିଲେ ବି ଏ ପର୍ଯ୍ୟନ୍ତ ବୋର୍ଡ ନିଗମ ନିଯୁକ୍ତି ହୋଇ ନାହିଁ । ଏହା ମଧ୍ୟରେ ସୋମବାର ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂହ ତୋମାର ଖୁବ ଶୀଘ୍ର ବୋର୍ଡ ନିଗମ ନିଯୁକ୍ତି ହେବ ବୋଲି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ବିଜେପି ଏହାର ତାଲିକା ତିଆରି କରି ସାରିଛି । କେନ୍ଦ୍ରର ମଞ୍ଜୁରୀକୁ ଅପେକ୍ଷା କରାଯାଇଛି । ମଞ୍ଜୁରୀ ମିଳିବା ପରେ ରାଜ୍ୟରେ ବୋର୍ଡ ନିଗମ ନିଯୁକ୍ତି ହେବ । ଅନ୍ୟପଟେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ମଧ୍ୟ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଏହାକୁ ନେଇ ତୋମାର କହିଛନ୍ତି, ଏବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ନାହିଁ । ଉଚିତ୍ ସମୟ ଆସିଲେ ଏହା ସଂପ୍ରସାରଣ ହେବ । ନୂଆପଡା ଉପନିର୍ବାଚନକୁ ନେଇ ବିଜୟ ପାଲ ସିଂ ତୋମାର କହିଛନ୍ତି, ରାଜ୍ୟ ସରକାରଙ୍କ ୧୬ ମାସର କାର୍ଯ୍ୟ ହିଁ ଦଳକୁ ନୂଆପଡାରେ ଏକତରଫା ବିଜୟ ଦେଇଛି ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କୁ ୧୬ ମାସ ହୋଇଥିଲେ ମଧ୍ୟଏ ପର୍ଯ୍ୟନ୍ତ ବୋର୍ଡ ନିଗମ ନିଯୁକ୍ତି ହୋଇ ପାରିନି । ଏହାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଅନେକ ଥର ସମାଲୋଚନା କରି ସାରିଛନ୍ତି । ବିଜେପିରେ ଏବଂ ସରକାରରେ ଆଭ୍ୟନ୍ତରୀଣ କନ୍ଦଳ କାରଣରୁ ନିଗମ ବୋର୍ଡ ହୋଇ ପାରୁ ନ ଥିବା ଅଭିଯୋଗ ଆଣିଥିଲେ ବିରୋଧୀ । ଏହା ସହ କ୍ୟାବିନେଟରେ ଆହୁରି ୬ଟି ପଦ ଖାଲିଥିଲେ ମଧ୍ୟ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବା ପକ୍ଷରେ ନାହାନ୍ତି ।
Also read: ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ