ପାରାଦ୍ୱୀପ: ରାଜ୍ୟର ସମସ୍ତ ବନ୍ଦରରେ ତଟରକ୍ଷୀ ଜାହାଜ ମୁତୟନ କରାଯିବ । ଧାମରା ବନ୍ଦରରେ କୋଷ୍ଟଗାର୍ଡ ଡ୍ରୋନ୍ ୟୁନିଟ୍ ସ୍ଥାପନ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବାର ସୂଚନା ଦେଇଛନ୍ତି ଉତ୍ତରପୂର୍ବ ତଟରକ୍ଷୀ ଆଇଜି ଇକବାଲ୍ ସିଂ ଚୌହ୍ୱାନ ।
ଆଜି ପାରାଦ୍ୱୀପରେ ସମୁଦ୍ର ଭିତରେ ତଟରକ୍ଷୀ ବାହିନୀର ଅଭ୍ୟାସ କରାଯାଇଛି । କୌଣସି ବେଆଇନ କାରବାର, ବେଆଇନ ଅନୁପ୍ରବେଶ ଏବଂ ଆକ୍ରମଣକୁ କିପରି ରୋକା ଯାଇପାରିବ ତାର ଅଭ୍ୟାସ ହୋଇଛି । ଏହି ଅବସରରେ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି ଉତ୍ତରପୂର୍ବ ତଟରକ୍ଷୀ ଆଇଜି ଇକବାଲ୍ ସିଂ ଚୌହ୍ୱାନ । ସେ କହିଛନ୍ତି ଯେ ଓଡ଼ିଶାରେ ଭାରତୀୟ ତଟରକ୍ଷାର ଉନ୍ନତି ଅଧିକ କରିବାକୁ ଇଚ୍ଛା ଅଛି । ରାଜ୍ୟର ସବୁ ବନ୍ଦରରେ କୋଷ୍ଟ ଗାର୍ଡ ନିୟୋଜିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି । ପାରାଦ୍ୱୀପ ଭଳି ଗୋପାଳପୁର ଓ ଧାମରା ବନ୍ଦରରେ ମୁତୟନ ହେବ କୋଷ୍ଟ ଗାର୍ଡ ସିପ୍ । ସେହିପରି ପାରାଦୀପ ବନ୍ଦରରେ କୋଷ୍ଟଗାର୍ଡ ଜାହାଜ ସଂଖ୍ୟା ବଢ଼ାଯିବା । ଗୋପାଳପୁର ଓ ଧାମରା ବନ୍ଦରରେ ଜେଟି ଖୋଲିବାକୁ ଜାଗା ଦେବାକୁ ପ୍ରସ୍ତାବ ଦିଆଯାଇଛି । ଧାମରା ବନ୍ଦରରେ ଡ୍ରୋନ୍ ୟୁନିଟ୍ ରହିବ । ମୁଖ୍ୟମନ୍ତ୍ରୀ ସହିତ ପୂର୍ବରୁ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଆଜି ମଧ୍ୟ ଏକ ପ୍ରସ୍ତାବ ଦିଆଯାଇଥିବା ଆଇଜି ଇକବାଲ୍ ସିଂ କହିଛନ୍ତି ।