ଢେଙ୍କାନାଳରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଟାଟା ପାୱାରର ମନମୁଖୀ କାର୍ଯ୍ୟ ବିରୋଧରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ବଳବତ୍ତର ରହିବ। ଜିଲ୍ଲା ଓକିଲ ସଂଘର ଆହ୍ବାନ କ୍ରମେ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଡାକରା ଦିଆଯାଇଛି। ଟାଟା ପାୱାର TPCODLର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ବନ୍ଦ ଡାକରା ଦିଆଯାଇଛି।
ପୂର୍ବତଟ ରେଳପଥର ଢେଙ୍କାନାଳ ଷ୍ଟେସନ ଠାରେ ଆନ୍ଦୋଳନକାରୀ ମାଲବାହୀ ଟ୍ରେନ୍ ଓ ଅନୁଗୁଳ ପୁରୀ ଡିଏମୟୁ ଟ୍ରେନକୁ ଅଟକ ରଖିଥିବା ସୂଚନା ମିଳିଛି। ଏଥିସହ ଲେଜ ବାଇପାସ, କୋରିଆଁ, କଣ୍ଟା ନାଳୀ, ମହିଷାପାଟ ଆଦି ସ୍ଥାନରେ ୫୫ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବାରୁ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି।ଶାନ୍ତିଶୃଙ୍ଖଳାର ସହ ଆନ୍ଦୋଳନରେ ସାମିଲ ହେବାକୁ କମିଟି ଆହ୍ୱାନ କରିଛି । ଏପଟେ ଆଇନଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍ ପ୍ରଶାସନ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି।
ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ ଓ ସହରବାସୀ ସମର୍ଥନ ଜଣାଇଛନ୍ତି। ଟାଟା ପାୱାର ଭିତ୍ତିଭୂମିକୁ ନସଜାଡି ଉପଭୋକ୍ତାଙ୍କ ଉପରେ ସ୍ମାର୍ଟ ମିଟର ଲଗାଇ ଅତ୍ୟଧିକ ବିଲ ଆଦାୟ କରିବା ଏବଂ ମନଇଛା ଫାଇନ ଆଦାୟ କରିବା ଭଳି କାମ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା ଜିଲ୍ଲା ଓକିଲ ସଂଘ। ପରବର୍ତ୍ତୀ ସମୟରେ ଜିଲ୍ଲା ବାସୀଙ୍କ ସ୍ବାର୍ଥ ପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ ପରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଓ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।