ବ୍ର୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଶନିବାର ୮ ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯାଇଛି । ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଭିଯୁକ୍ତଙ୍କ ଟିଆଇ ପରେଡ ହୋଇଛି । ପୀତବାସ ପଣ୍ଡା ହତ୍ୟା ମାମଲାରେ ମୋଟ୍ ୧୬ ଜଣ ଅଭିଯୁକ୍ତ ଗିରଫ ହୋଇ ଜେଲରେ ଅଛନ୍ତି ।
ଆଜି ଯେଉଁ ୮ ଅଭିଯୁକ୍ତଙ୍କ ଟିଆଇ ପରେଡ ହୋଇଛି ସେମାନଙ୍କ ମଧ୍ୟରେ ସାର୍ଟସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ, ବିହାରର ଶିଶୁପାଳ ପାସୱାନ ଓ କୁନ୍ଦନ କୁମାର, ମୁଖ୍ୟ ସହଯୋଗୀ ଉମା ବିଷୋୟୀ, ଯୋଗୀ ରାଉତ, ସୀମାଞ୍ଚଳ ନାୟକ ଓ ବିପିନ ସ୍ୱାଇଁ ସାମିଲ୍ । ଏହି ଅଭିଯୁକ୍ତ ମାନଙ୍କ ଟିଆଇ ପରେଡ କରିବାକୁ ଅନୁମତି ଦେବା ପାଇଁ ମାମଲାର ତଦନ୍ତ ଅଧିକାରୀ ତଥା ବ୍ରହ୍ମପୁର ଟାଉନ ଏସଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଏସଡିଜେଏମ କୋର୍ଟରେ ଅନୁମତି ମାଗିଥିଲେ । କୋର୍ଟଙ୍କ ପକ୍ଷରୁ ଅନୁମତି ମିଳିବା ପରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯାଇଛି ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୬ ତାରିଖ ରାତିରେ ପୀତବାସଙ୍କୁ ତାଙ୍କ ବାସଭବନ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣାଦିନ ଅଭିଯୁକ୍ତ ଚିଣ୍ଟୁ ପ୍ରଧାନ ବାଇକ ଚଳାଉଥିବା ବେଳେ କୁରୁପତି ଭୂୟାଁ ପଛରେ ବସିଥିଲେ । କୁରୁପତି ଗୁଳି ମାଡ଼ କରିବା ପରେ ପୀତବାସ ଟଳି ପଡ଼ିଥିଲେ। ଏହାପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବିବାଦୀୟ ବୟାନ୍ ଦେବା ପ୍ରସଙ୍ଗରେ ଅବଶେଷରେ ହାଇକୋର୍ଟରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବ୍ରହ୍ମପୁର ଏସପି ଡାକ୍ତର ଶରବଣା ବିବେକ। ଏହାପରେ ତାଙ୍କ ବିରୁଦ୍ଧରେ ଅଦାଲତ ମାମଲା ନ ଚଳାଇବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।