ପୁରୀ: ଆଜି ମାର୍ଗଶୀର କୃଷ୍ଣ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପାଞ୍ଚ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ନୀତି ଓ ପରମ୍ପରା ମୁତାବକ ଏହି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଦଇତାପତି ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତିକୁ ନିଷ୍ଠାର ସହ ସମ୍ପନ୍ନ କରିବେ ।
ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗ ମଣ୍ଡପ ସରିବା ପରେ ପାଟେରା ବିଶୋଇ ସେବାୟତଙ୍କୁ ଘରୁ ଆସିଥାଏ ବାସୁଙ୍ଗା ପାଟର ପଇତା । ତାହାକୁ ଦଇତାପତି ସେବାୟତମାନେ ଭୋଗ ସରିବା ପରେ ଗର୍ଭଗୃହକୁ ପ୍ରବେଶ କରନ୍ତି । ତା ପରେ ରତ୍ନ ସିଂହାସନକୁ ଉଠି ଦଇତାପତିମାନେ ପ୍ରଥମେ ମହାପ୍ରଭୂଙ୍କ ପାଟବସ୍ତ୍ର ଓ ଶ୍ରୀଅଙ୍ଗକୁ ତନଖିଥାନ୍ତି ଏବଂ ପରେ ଆରମ୍ଭ ହୋଇଥାଏ ପଇତା ଲାଗି । ଏହି ସମୟରେ ପହୁଡ଼ ଆଳତି ପରେ ଜୟ-ବିଜୟ ଦ୍ଵାର ବନ୍ଦ ରହିଥାଏ । ଏଥିପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ।
ପଇତାଲାଗି ନୀତି ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ଲାଗି କରାଯାଇଥାଏ । ଏଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତା ଲାଗି ହୋଇଥାଏ । ଏହି ନୀତି ପାଇଁ ପୂର୍ବଦିନରୁ ଶ୍ରୀମନ୍ଦିରରେ ସବୁ ପ୍ରସ୍ତୁତି କରାଯାଇଥାଏ । ପଇତାଲାଗି ନୀତି ପରେ ମହାପ୍ରଭୁଙ୍କ ଦର୍ଶନ ସ୍ୱାଭାବିକ ହୋଇଥାଏ ।