କୋରାପୁଟ : କୋଟିଆରେ ହଟହଟା ହେଲେ ଆନ୍ଧ୍ର ସରକାରୀ ଅଧିକାରୀ । ବାରମ୍ବାର ବିରୋଧୀ ସତ୍ତ୍ୱେ କୋଟିଆ ପିଛା ଛାଡ଼ୁନି ପଡୋଶୀ ଆନ୍ଧ୍ର। କୋଟିଆ ସୀମାନ୍ତ ଗାଁରେ ଅନୁପ୍ରବେଶ କରୁଛି ଅମାନିଆ ଆନ୍ଧ୍ର। କୋଟିଆ ପାଇଁ ରାଜ୍ୟ ସରକାର ପକ୍ଷରୁ ବିଭିନ୍ନ ଯୋଜନା ସାଙ୍ଗକୁ କୋଟିଆବାସୀ ଯେପରି ସରକାରଙ୍କ ସମସ୍ତ ସୁବିଧା ଓ ଯୋଜନା ସୁବିଧା ପାଇବେ ତାପ୍ରତି ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସଜାଗ ହୋଇ ରହିଛନ୍ତି। କିନ୍ତୁ ଗଳାବାଟ ଦେଇ ଲୁଚିଛପି ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରୁଛନ୍ତି।
ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ନେରେଡିବାଲସା ଗ୍ରାମରେ ସାପ୍ତାହିକ ହାଟରେ ଆନ୍ଧ୍ର ଅଧିକାରୀ ପହଞ୍ଚି ଆଦିବାସୀ ମେଳା କରି ଫେରିଥିବା ବେଳେ ସାଲୁର ମଣ୍ଡଳ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଟିମ୍ ତଳ ଗଞ୍ଜେଇ ପଦର ଗାଁରେ ପହଞ୍ଚିଥିଲେ। ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ ଆଣି ଗାଁରେ ଲୋକଙ୍କୁ ଔଷଧ ବାଣ୍ଟୁଥିଲେ ଓ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିବା ସମୟରେ ବ୍ଲକ ପ୍ରଶାସନ ଖବର ପାଇଥିଲେ ଓ ତୁରନ୍ତ ଉକ୍ତ ଗ୍ରାମରେ ବ୍ଲକ ଅଧିକାରୀମାନେ ପହଞ୍ଚି ତାଗିଦ କରି ତୁରନ୍ତ ଜାଗା ଛାଡ଼ି ଚାଲିଯିବା ପାଇଁ କହିଥିଲେ ଓ କିଛି ସମୟ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ପରେ ଆନ୍ଧ୍ର ଅଧିକାରୀ ଜାଗାଛାଡ଼ି ଚାଲିଯାଇଥିବା ଜଣାପଡ଼ିଥିଲା।