ଭୁବନେଶ୍ୱର: ମୋ ପୁଅ ବହୁତ ଗୁରୁତର ଅବସ୍ଥାରେ ରହିଛି । ସେ ଭେଣ୍ଟିଲେଣ୍ଟରେ ଅଛି । ଏମ୍ସର ଆଇସିୟୁରେ ଭର୍ତ୍ତି ଅଛନ୍ତି । ପୁଅକୁ ବଞ୍ଚାଇ ଦେବାକୁ ଓଡ଼ିଶା ବାସୀ ଏବଂ ସରକାରଙ୍କୁ କୋହଭରା କଣ୍ଠରେ ଗୁହାରୀ କରିଛନ୍ତି ଗାୟକ ହ୍ୟୁମାନ ସାଗରଙ୍କ ମା ।
ହ୍ୟୁମାନଙ୍କ ମା ଶେଫାଳୀ ସୁନା ପୁଅର ସ୍ୱାସ୍ଥ୍ୟ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କ ଶରୀର ବିଭିନ୍ନ ଅଙ୍ଗ ଅଚଳ ହୋଇଯାଇଛି । ପୁଅକୁ ସେ ବଞ୍ଚାଇବାକୁ ଚାହୁଁଛନ୍ତି । ବାହାରକୁ ନେଇ ଚିକିତ୍ସା କରିବାକୁ ଚାହୁଁଛନ୍ତି । ତେଣୁ ପୁଅକୁ ବଞ୍ଚାଇ ଦେବାକୁ ସେ ଓଡ଼ିଶାବାସୀଙ୍କ ସହିତ ରାଜ୍ୟ ସରକାରଙ୍କୁ ଗୁହାରୀ କରିଛନ୍ତି ।
ହ୍ୟୁମାନ୍ ଲିଭର୍ ଓ କିଡ଼ନିରେ ସମସ୍ୟା ସୃଷ୍ଟି ହୋଇଛି । ଏହା ସହିତ ଶରୀର ଅନେକ ଅଙ୍ଗ ମଧ୍ୟ ପ୍ରଭାବିତ ହୋଇଛି । ଶ୍ୱାସକ୍ରିୟା ଅସୁବିଧା ସମ୍ମୁଖୀନ ହେବା ସହିତ ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ଭଳି ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ଗତକାଲି ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସେ ଆଇସିୟୁରେ ଭେଣ୍ଟିଲେଟରେ ଅଛନ୍ତି ।
ସେ ଅନେକ ଓଡ଼ିଆ ଗୀତରେ କଣ୍ଠଦାନ କରିଛନ୍ତି । ଯୁବପୀଢ଼ିଙ୍କ ହୃଦୟରେ ହ୍ୟୁମାନ୍ ଏକ ସ୍ୱତନ୍ତ୍ର ଘର କରିଛନ୍ତି । ୨୦୧୨ ରେ ଏକ ଟିଭି ରିଆଲିଟି ଶୋରେ ଅଂଶ ଗ୍ରହଣ କରି ହ୍ୟୁମାନ୍ ଜିତିବା ପରେ ଓଲିଉଡରେ ଗୀତ ଗାଇବାର ସୁଯୋଗ ପାଇଥିଲେ । ସେ ସଙ୍ଗୀତକାର ଅଭିଜିତ ମଜୁଦାରଙ୍କ ଗୀତରେ ପ୍ରଥମେ କଣ୍ଠଦାନ କରିଥିଲେ । ଏହା ପରେ ସେ ଚଳଚ୍ଚିତ୍ର, ଓଡ଼ିଆ ଆଲବମ୍ ଓ ସମ୍ବଲପୁରୀରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ ଗୀତରେ କଣ୍ଠଦାନ କରିଛନ୍ତି । ସେ ବିବାହିତ ହୋଇଥିବାବେଳେ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛନ୍ତି ।