ଗଞ୍ଜାମ: ବ୍ରହ୍ମପୁରରୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍। ସବୁଜ ପତାକା ଦେଖାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନରୁ ଉତ୍ତରପ୍ରଦେଶର ଓଁକାରେଶ୍ଵର ଓ ଉଜ୍ଜୟିନୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ ସ୍ଵତନ୍ତ୍ର ଟ୍ରେନ୍ ଯାତ୍ରା ଆରମ୍ଭ କରିଛି।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦକ୍ଷିଣ ଓଡ଼ିଶାର ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥଯାତ୍ରୀ ଟ୍ରେନ୍ ଯାତ୍ରା ଆରମ୍ଭ କରିଛି। ପୂର୍ବରୁ ଆବେଦନ ପ୍ରକ୍ରିୟାରେ ୬୦ରୁ ୭୫ ବର୍ଷ ବୟସ୍କ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇଥିଲା। ସ୍ଵତନ୍ତ୍ର ଟ୍ରେନ୍ ବ୍ରହ୍ମପୁର ରେଳ ଷ୍ଟେସନରୁ ଯାତ୍ରୀଙ୍କୁ ନେଇ ଉତ୍ତରପ୍ରଦେଶ ଅଭିମୁଖେ ବାହାରିଛି। ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ମୋଟ ୭୭୫ଜଣ ଯାତ୍ରୀଙ୍କୁ ନେଇ ଏହି ଟ୍ରେନ୍ ବାହାରିଛି। ଟ୍ରେନ୍ରେ ଗଞ୍ଜାମ ଜିଲ୍ଲାରୁ ୪୩୮, ଗଜପତିରୁ ୭୨ ଜଣ, କନ୍ଧମାଳରୁ ୯୧ ଜଣ, ବୌଦ୍ଧରୁ ୫୫ ଜଣ, ନୟାଗଡ଼ରୁ ୧୧୯ ଜଣ ବରିଷ୍ଠ ନାଗରିକ ଯାତ୍ରା କରିଛନ୍ତି। ଏମାନଙ୍କ ସହଯୋଗ ପାଇଁ ୨୫ଜଣ ଏସ୍କର୍ଟ ସାଥିରେ ଯାଇଛନ୍ତି।
ରବିବାର ସକାଳୁ ବ୍ରହ୍ମପୁର ରେଳ ଷ୍ଟେସନ ୪ ନମ୍ବର ପ୍ଲାଟଫର୍ମ ନିକଟରେ ବାହାର ଜିଲ୍ଲାର ଯାତ୍ରୀଙ୍କ ସମାଗମ ଆରମ୍ଭ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ସେମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ମଧ୍ୟାହ୍ନ, ରାତ୍ରିଭୋଜନ ସମେତ ଜଳପାନର ବ୍ୟବସ୍ଥା ମଧ୍ୟ ଜିଲ୍ଲା ପ୍ରଶାସନ କରିଥିଲା। ଯାତ୍ରୀମାନେ ବାହାର ରାଜ୍ୟକୁ ତୀର୍ଥଯାତ୍ରୀ ଭାବେ ବୁଲି ଯିବାକୁ ବେଶ୍ ଉତ୍ସାହିତ ଥିବା ସହ ଖୁସି ବ୍ୟକ୍ତ କରିଛନ୍ତି।
ଅଧିକ ପଢନ୍ତୁ: ଢେଙ୍କାନାଳରେ ଟାଟା ପାୱାରର ମନମୁଖୀ କାର୍ଯ୍ୟ ବିରୋଧରେ ୧୨ ଘଣ୍ଟିଆ ବନ୍ଦ ପାଳନ; ରେଳ ଅବରୋଧ ସହ ଗାଡ଼ି ଚଳାଚଳ ଠପ୍…