ଭୁବନେଶ୍ୱର: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ମାତିଛନ୍ତି ଠକ । ହ୍ୟୁମାନଙ୍କ ସ୍ୱାସ୍ଥ୍ୟକୁ ଆଳ କରି ମାଗୁଛନ୍ତି ଟଙ୍କା । ହ୍ୟୁମାନଙ୍କ ଚିକିତ୍ସା ପାଇଁ ଅର୍ଥର କୌଣସି ଆବଶ୍ୟକତା ନାହିଁ । ତେଣୁ ଏଭଳି ଠକାମୀରୁ ସତର୍କ ରହିବାକୁ ତାଙ୍କ ମା ଶେଫାଳୀ ସୁନା ପରାମର୍ଶ ଦେଇଛନ୍ତି ।
ଏମ୍ସ ଆଇସିୟୁରେ ଚିକିତ୍ସାଧୀନ ଥିବା ହ୍ୟୁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ବିଶେଷ କିଛି ଉନ୍ନତି ଆସିନଥିବାରୁ ପୂର୍ବ ଅପେକ୍ଷା ସେ ଟିକେ ଭଲ ଅବସ୍ଥାରେ ଅଛନ୍ତି । ହ୍ୟୁମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ମା ଶେଫାଳୀ ସୁନା କହିଛନ୍ତି । ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରୁଛନ୍ତି । ହ୍ୟୁମାନଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଆବଶ୍ୟକ ନାହିଁ । ଆମେ କୌଣସି ଟଙ୍କା ମାଗି ନାହୁଁ । ଆମେ ଖାଲି ଏୟାରଲିପ୍ଟ ପାଇଁ ସରକାରଙ୍କ ନିକଟରେ ସହାୟତା ମାଗିଥିଲୁ । କିନ୍ତୁ କିଛି ବ୍ୟକ୍ତି ହ୍ୟୁମାନଙ୍କ ନାଁରେ ଟଙ୍କା ଆଦାୟ କରୁଛନ୍ତି । ନକଲି ୟୁପିଆଇ ସ୍କାନର ବ୍ୟବହାର କରି ଦଲାଲମାନେ ଟଙ୍କା ମାଗୁଛନ୍ତି । ତେଣୁ ଏଥିପ୍ରତି ସତର୍କ ହେବାକୁ ମା ଶେଫାଳୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ସେପଟେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କର ମଧ୍ୟ ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି ଯେ ହ୍ୟୁମାନଙ୍କ ଅବସ୍ଥା ପୂର୍ବ ଅପେକ୍ଷା ଟିକେ ସୁଧାର ଆସିଛି । ମାତ୍ର ୨୪ ଘଣ୍ଟାରେ ହ୍ୟୁମାନଙ୍କ ସ୍ଵାସ୍ଥ୍ୟବସ୍ଥାରେ ସେମିତି ଆଖି ଦୃଶିଆ ସୁଧାର ଆସିନାହିଁ । ତେଣୁ ଏବେ ତାଙ୍କର ଏୟାରଲିପ୍ଟ ହୋଇପାରିବ ନାହିଁ ବୋଲି ଡାକ୍ତର କହିଛନ୍ତି । ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ବର୍ତ୍ତମାନ ସୁଦ୍ଧା ଭେଣ୍ଟିଲେଟରରେ ଅଛନ୍ତି ହ୍ୟୁମାନ୍ । ସବୁକିଛି ଭଗବାନଙ୍କ ଉପରେ ଛାଡ଼ି ଦେଇଛନ୍ତି ପତ୍ନୀ ଶ୍ରୀୟା ।