ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ଦୁନିଆରେ ଅଦିନରେ ଘୋଟି ଯାଇଛି କଳା ବାଦଲ । ଆଉ ନାହାଁନ୍ତି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସୋମବାର ରାତି ୯ଟା ୮ ମିନିଟରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ହୋଇଥିଲା ।
ଗତ କିଛି ଦିନ ହେବ ହ୍ୟୁମାନ୍ ସାଗର ଅସୁସ୍ଥ ଥିଲେ । ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୪ ତାରିଖ ସୋମବାର ଦିନ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍ସର ଆଇସିୟୁରେ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ । ଲିଭର୍ ଓ କିଡ଼ନିରେ ସମସ୍ୟା ଥିଲା । ତାଙ୍କ ଶରୀର ଅନେକ ଅଙ୍ଗ ଅକାମୀ ହୋଇଯାଇଥିଲା । ଶ୍ୱାସକ୍ରିୟା ଅସୁବିଧା ସମ୍ମୁଖୀନ ହେବା ସହିତ ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ଭଳି ରୋଗରେ ପୀଡ଼ିତ ଥିଲେ । ଡାକ୍ତର ତାଙ୍କୁ ୭୨ ଘଣ୍ଟା ସମୟ ଦେଇଥିଲେ । ପରିବାର ଲୋକେ ତାଙ୍କ ଏୟାରଲିଫ୍ଟ କରିବାକୁ ସରକାରଙ୍କୁ ସାହାଯ୍ୟ ମାଗିଥିଲେ । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିଥିବାରୁ ଡାକ୍ତର ଏୟାରଲିଫ୍ଟ ପାଇଁ ଅନୁମତି ଦେଇ ନ ଥିଲେ । ଶେଷରେ ସମସ୍ତଙ୍କୁ ଶୋକ ସାଗରେ ଭସାଇ ଦେଇ ଚାଲିଯାଇଛନ୍ତି ହ୍ୟୁମାନ ସାଗର ।
୧୯୯୦, ନଭେମ୍ବର ୨୫ ତାରିଖରେ ହ୍ୟୁମାନ୍ ସାଗର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ । ଯୁବପୀଢ଼ିଙ୍କ ହୃଦୟରେ ହ୍ୟୁମାନ୍ ଏକ ସ୍ୱତନ୍ତ୍ର ଘର ତିଆରି କରିଥିଲେ । ୨୦୧୨ ରେ ତରଙ୍ଗ ଟିଭିର ରିଆଲିଟି ଶୋ ‘ଭଏସ୍ ଏଫ୍ ଓଡ଼ିଶା’ରେ ଅଂଶ ଗ୍ରହଣ କରି ହ୍ୟୁମାନ୍ ବିଜୟୀ ହୋଇଥିଲେ । ଏହା ପରେ ‘ଇସ୍କ ତୁ ହି ତୁ’ ପ୍ରଥମ ଗୀତରେ କଣ୍ଠଦାନ କରି ସାରା ଓଡ଼ିଶାରେ ଯୁବ ପୀଢ଼ିଙ୍କ ହୃଦୟରେ ରାଜ୍ କରିଥିଲେ । ଏଇଠୁ ଆରମ୍ଭ ହୋଇଥିଲା ତାଙ୍କର ସଙ୍ଗୀତ ଯାତ୍ରା । ଏହା ପରେ ସେ ଚଳଚ୍ଚିତ୍ର, ଓଡ଼ିଆ ଆଲବମ୍ ଓ ସମ୍ବଲପୁରୀରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ ଗୀତରେ କଣ୍ଠଦାନ କରିଛନ୍ତି । ସେ ବିବାହିତ ହୋଇଥିବାବେଳେ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛନ୍ତି ।
ହ୍ୟୁମାନଙ୍କ ଲୋକପ୍ରିୟ ଗୀତ ମଧ୍ୟର ରହିଛି ପ୍ରଥମ ଗୀତ ‘ଇସ୍କ ତୁ ହି ତୁ’, ‘ଲାଗେ ପ୍ରେମ ନଜର’, ‘ହାଏ ତୋ ପ୍ରେମ ମୋତେ ମାରି ଦେଲାରେ’, ‘ଚିରିଙ୍ଗ ଚିରିଙ୍ଗ’, ‘ଗଜଲ୍ ଗଜଲ୍’, ‘ଲାଗେ ପ୍ରେମ ନଜର’, ‘ଭିଜେଇ ଦେଇ ଯା ଥରେ’, ‘ନିଶ୍ୱାସ ତୋ ବିନା ମୋର ଚାଲେନା’, ‘ଛାତିଟା ରଗଡ଼ି ଦେଲା’ ଇତ୍ୟାଦି ।
ହ୍ୟୁମାନଙ୍କ ବାପା କୋଭିଡରେ ପ୍ରାଣ ହରାଇଥିବାବେଳେ ତାଙ୍କ ସାନ ଭାଇ ତା ପୂର୍ବରୁ ଚାଲି ଏକ ଦୂରାରୋଗ୍ୟରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି ।