ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଚତୁର୍ଥ ଦିବସରେ ଓଡ଼ିଶା ପାଭିଲିୟନ ବୁଲି ଦେଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏହି ପାଭିଲିୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଏକ ଭାରତ, ଶ୍ରେଷ୍ଠ ଭାରତ' ଓ 'ଆତ୍ମନିର୍ଭର ଭାରତ' ଆହ୍ୱାନ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ 'ଓଡ଼ିଶା ଭିଜନ ୨୦୩୬' ଦୃଷ୍ଟିକୋଣର ଏକ ସମ୍ମିଳିତ ପ୍ରୟାସ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଶ୍ରୀ ସିଂହଦେଓ କହିଛନ୍ତି, ସୁଦୃଶ୍ୟ ହସ୍ତଶିଳ୍ପ ପାଇଁ ବିଶ୍ୱ ଦରବାରରେ ସୁପରିଚିତ ଓଡ଼ିଶା, ଆଜି ପୁଞ୍ଜିନିବେଶର ଏକ ଉପଯୁକ୍ତ କ୍ଷେତ୍ରର ପରିଚିତି ଲାଭ କରିଛି । ଯାହାକି, କୃଷିଜାତ ପଦାର୍ଥ ଏବଂ ଗ୍ରାମୀଣ ଶିଳ୍ପୀମାନଙ୍କ ଦ୍ବାରା ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଠାରୁ ଆରମ୍ଭ କରି ଶିଳ୍ପାୟନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ସମସ୍ତଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ପାଭିଲିୟନରେ ପ୍ରଦର୍ଶିତ କଳାକୃତିର ପ୍ରଶଂସା କରିଛନ୍ତି ।
ପରେ ପରେ ଉପମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟର ପାଭିଲିୟନ ପରିଦର୍ଶନ କରିଛନ୍ତି । ଓଡିଶାରେ ବିଦ୍ୟୁତ ଶକ୍ତି ଉତ୍ପାଦନ ଓ ବିନିଯୋଗ ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଯୋଗ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହିତ ଜଳବିଦ୍ୟୁତ ଶକ୍ତିର ବିକଳ୍ପ ଭାବେ ସବୁଜ ଶକ୍ତି, ଅକ୍ଷୟ ଶକ୍ତି, ପୁନଃ-ନବୀକରଣୀୟ ଶକ୍ତି ଆଦି ସମ୍ପର୍କିତ ନୂତନ ଜ୍ଞାନକୌଶଳ ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି, ଉପମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ପାଭିଲିୟନ ପରିଦର୍ଶନ କରି, ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା କୃଷି ବିଶେଷଜ୍ଞ ଓ କୃଷିଜୀବୀମାନଙ୍କ ସହିତ ଆଲୋଚନା କରିଥିଲେ ।
ଉପମୁଖ୍ୟମନ୍ତ୍ରୀ ସିଂହଦେଓଙ୍କ ବ୍ୟତୀତ, ମଣିପୁର ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁରାଗ ବାଜପେୟୀ ମଧ୍ୟ ଆଜି ଓଡ଼ିଶା ପାଭିଲିୟନ ପରିଦର୍ଶମ କରିଥିଲେ । ଏହି ବାଣିଜ୍ୟ ମେଳା ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ହୋଇଛି । ନଭେମ୍ବର ୧୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।