ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ଯୁବ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଆଇସିୟୁ ଭିତରେ ରଖି ଡାକ୍ତରଙ୍କ ତତ୍ତ୍ଵାବଧାନରେ ଚିକିତ୍ସା କରାଯାଉଛି। ହ୍ୟୁମାନଙ୍କ ଏକାଧିକ ଅଙ୍ଗ କାମ କରୁନଥିବାବେଳେ ଶ୍ଵାସକ୍ରିୟାଜନିତ ସମସ୍ୟା, କିଡନୀ, ଲିଭର ଅଚଳ ହେବାର ସମସ୍ୟା, ରକ୍ତଜମାଟ ବାନ୍ଧିବା ସମସ୍ୟା ଆଦି ରହିଛି।ତେବେ ଏହାରି ମଧ୍ୟରେ ହ୍ୟୁମାନ୍ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇଛି।
ଶ୍ରୀୟା କହିଛନ୍ତି , ଗତ ୨୪ ଘଣ୍ଟାରେ ହ୍ୟୁମାନଙ୍କ ସ୍ଵାସ୍ଥ୍ୟବସ୍ଥାରେ ସେମିତି ଆଖି ଦୃଶିଆ ସୁଧାର ଆସିନାହିଁ । ସବୁ ଭଗବାନଙ୍କ ଉପରେ ଭରସା। ସ୍ବାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ବର୍ତ୍ତମାନ ସୁଦ୍ଧା ଭେଣ୍ଟିଲେଟରରେ ଅଛନ୍ତି ହ୍ୟୁମାନ୍ ସାଗର।
ଅସୁସ୍ଥ ଅବସ୍ଥାରେ ହ୍ୟୁମାନ୍ ସାଗରଙ୍କୁ ଭୁବନେଶ୍ବର ଏମ୍ସ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଲିଭର୍ ଖରାପ ଥିବାବେଳେ କିଡ୍ନି ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେ ଗତ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ଲିଭର୍ ଓ କିଡ୍ନି ସହିତ ହ୍ୟୁମାନ୍ଙ୍କ ବହୁ ଅଙ୍ଗ ପ୍ରଭାବିତ ହୋଇଛି। ସେ ଶ୍ବାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଅଛନ୍ତି। ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଛି।
ଅଧିକ ପଢନ୍ତୁ: ଭେଣ୍ଟିଲେଟରେ ଅଛନ୍ତି ହ୍ୟୁମାନ, ବଞ୍ଚାଇବାକୁ କୋହଭରା କଣ୍ଠରେ ଗୁହାରୀ କଲେ ମା