ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସୋମବାର ପୁଣି ଜଣେ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକ ହେଲେ ବିନୟ ପାଠକ (୫୫) । ସେ ଦିଲ୍ଲୀ ଆୟା ନଗରର ବାସିନ୍ଦା ଅଟନ୍ତି । ବିସ୍ଫୋରଣରେ ତାଙ୍କର ଗୋଟିଏ ଗୋଡ଼ କଟି ଯାଇଥିବାବେଳେ ତାଙ୍କର ଶରୀର ୬୦ ପ୍ରତିଶତ ପୋଡ଼ିଯାଇଥିଲା । ସେ ଆଇସିୟୁରେ ଭେଣ୍ଟିଲେଟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୩ରେ ପହଁଚିଛି ।
ଅନ୍ୟପକ୍ଷରେ ଦିଲ୍ଲୀ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଉମରର ସହଯୋଗୀ ରସିଦ ଅଲ୍ଲୀକୁ ୧୦ ଦିନିଆ ରିମାଣ୍ଡରେ ନେଇଛି ଜାତୀୟ ତଦନ୍ତକରି ସଂସ୍ଥା । ଆଜି ଦିଲ୍ଲୀ ପଟିଆଲା ଅଦାଲତରେ ରସିଦ ଅଲ୍ଲୀକୁ ହାଜର କରାଯାଇଛି । ଗତକାଲି ରସିଦକୁ ଦିଲ୍ଲୀରୁ ଗିରଫ କରିଥିଲା ଏନଆଇଏ। ଗତ ସପ୍ତାହରେ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ଜଡିତ ହୁଣ୍ଡାଇ ଆଇ୨୦ କାର ଆମିର ରସିଦ ଅଲିଙ୍କ ମାଲିକାନାରେ ଥିଲା ।
ସେପଟେ ତଦନ୍ତକାରୀ ସଂସ୍ଥା ଡାକ୍ତର ଉମର ଉନ ନବୀ ଘଟଣା ଦିନ ଆଉ କେଉଁଆଡ଼େ ଯାଇଥିଲା ତାହାର ଯାଞ୍ଚରେ ଲାଗିଛି । ଏହି ମାମଲାରେ ୬୫ ଟି ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଛି । ସବୁଠାରୁ ବଡ଼ ପ୍ରମାଣ ଅଲ-ଫଲାହ ବିଶ୍ୱବିଦ୍ୟାଳୟଠାରୁ ୮୦୦ ମିଟିର୍ ଦୂରରେ ଥିବା ଧୌଜ ବଜାରରେ ଲାଗିଥିବା ସିସିଟିଭିରୁ ମିଳିଛି । ଉକ୍ତ ଫୁଟେଜରେ ଡାକ୍ତର ଉମର ଏକ ଔଷଧ ଦୋକାନରେ ବସିଥିବା ଦେଖିବାକୁ ମିଳିଛି । ସେ ଫୋନ ଚାର୍ଜ କରିବାକୁ ଦୋକାନୀଙ୍କୁ ଦେଇଥିଲା । ସେହି ଦୁଇଟି ମୋବାଇଲକୁ ପାଇବାକୁ ଯାଞ୍ଚ ଜାରି ରହିଛି ।