ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସୋନଭଦ୍ର ଜିଲ୍ଲାରେ ପଥର ଖଣି ଧସିବା ମାମଲାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପଥର ଭଗ୍ନାବଶେଷ ତଳୁ ପୁଣି ୫ଟି ମୃତ ଦେହ ଉଦ୍ଧାର ହୋଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୬ରେ ପହଁଚିଛି । ଗତକାଲି ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ରବିବାର ବିଳମ୍ବିତ ରାତିରେ ମୃତ ଦେହ ଗୁଡ଼ିକ ଉଦ୍ଧାର ହୋଇଥିବା ଜିଲ୍ଲାପାଳ ବିଏନ୍ ସିଂହ ସୂଚନା ଦେଇଛନ୍ତି ।
ମୃତକମାନେ ହେଲେ ପନାରୀ ନିବାସୀ ଇନ୍ଦ୍ରଜୀତ (୩୦), ଇନ୍ଦ୍ରଜୀତ ଭାଇ ସନ୍ତୋଷ ଯାଦବ (୩୦), ରବିନ୍ଦ୍ର ଓରଫ୍ ନାନକ (୧୮), ରାମଖେଲାବନ (୩୨), କୃପାଶଙ୍କର ଏବଂ ରାଜୁ ସିଂହ (୩୦) । ରାଜୁର ମୃତ ଦେହ ଗତକାଲି ଉଦ୍ଧାର କରାଯାଇଥିଲା ।
ଶନିବାର ସନ୍ଧ୍ୟାରେ ପଥର ଖାଦାନରେ ପଥର ଧସିଥିଲା । କୃଷ୍ଣା ମାଇନିଂ ୱାର୍କ୍ସ କମ୍ପାନୀ ଦ୍ୱାରା ପଥର ଖାଦାନରେ କାମ ଚାଲୁଥିଲା । ସନ୍ଧ୍ୟା ପ୍ରାୟ ସାଢ଼େ ୪ଟା ସମୟରେ ଏହି ଅଘଟଣା ଘଟିଥିଲା । ଗତକାଲି ଜଣଙ୍କ ମୃତ ଦେହ ମିଳିଥିଲା । ବଡ଼ ବଡ଼ ପଥର ଖଣ୍ଡ ଥିବାରୁ ଉଦ୍ଧାରକାର୍ଯ୍ୟ ବିଳମ୍ବ ହୋଇଥିଲା । ଉତ୍ତର ପ୍ରଦେଶ ମନ୍ତ୍ରୀ ସଂଜୀବ କୁମାର ଗାଣ୍ଡେ ତୁରନ୍ତ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ତଦାରଖ କରିଥିଲେ । ପ୍ରାୟ ୧୨ରୁ ୧୩ ଜଣ ସେଠାରେ ଫସିରହିଥିବା ମନ୍ତ୍ରୀ କହିଥିଲେ ।
କୃଷ୍ଣା ମାଇନିଂ ୱାର୍କ୍ସ କମ୍ପାନୀର ମାଲିକ ଏବଂ ତାଙ୍କର ଦୁଇ ସହଯୋଗୀ ମଧୁସୂଦନ ସିଂହ ଓ ଦିଲ୍ଲୀପ କେଶରୀଙ୍କ ନାମରେ ମାମଲା ରୁଜୁ ହୋଇଛି । ତିନି ଜଣଙ୍କୁ ପୋଲିସ ଗିରଫ କରିଛି । ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ପକ୍ଷରୁ ଅନେକ ଅଭିଯୋଗ ଆସିଛି । ପୋଲିସ ଜାଣତରେ ବେଆଇନ ପଥର ଖାଦାନ ଚାଲିଥିଲା ବୋଲି କୁହାଯାଇଛି । ଏହା ସହିତ ପ୍ରତି ମୃତକଙ୍କ ପରିବାରୁ ୫୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ପରିବାରର ଜଣକୁ ସରକାରୀ ଚାକିରୀ ଦେବାକୁ ଦାବି ହୋଇଛି ।