ନୂଆଦିଲ୍ଲୀ: ଭାରତ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ ସମୟ ରହିଛି। ତେଣୁ ବିସିସିଆଇ ଶୀଘ୍ର ଦିନିକିଆ ଏବଂ ଟି-୨୦ ଦଳ ଘୋଷଣା କରିପାରେ। ରୋହିତ ଶର୍ମା ଏବଂ ବିରାଟ କୋହଲି ଦୀର୍ଘ ସମୟ ପରେ ଘରୋଇ ପରିବେଶରେ ଖେଳିବାକୁ ଯାଉଛନ୍ତି। ଏହାକୁ ନେଇ ପ୍ରଶଂସକ ଖୁବ ଉତ୍ସାହିତ। ଉଭୟ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଦିନିକିଆ ସିରିଜ୍ ଖେଳିଥିଲେ । ଦୁଇ ଖେଳାଳି ଟେଷ୍ଟ ଏବଂ ଟି-୨୦ରୁ ଅବସର ନେଇସାରିଛନ୍ତି। ଅଷ୍ଟ୍ରେଲିଆରେ ଆହତ ଶ୍ରେୟସ ଆୟର ଏହି ସିରିଜରୁ ବାଦ୍ ପଡ଼ି ସାରିଛନ୍ତି। ତାଙ୍କ ସ୍ଥାନରେ କାହାକୁ ସୁଯୋଗ ମିଳିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଋଷଭ ପନ୍ତ ମଧ୍ୟ ଦିନିକିଆ ଦଳକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି।
ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଯୋଗୁଁ ଅଷ୍ଟ୍ରେଲିଆ ଗସ୍ତ କରିନଥିଲେ। ସଦ୍ୟତମ ରିପୋର୍ଟ ଅନୁଯାୟୀ ଏବେ ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ତେଣୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ ଖେଳି ପାରନ୍ତି। ଇଂଲଣ୍ଡ ଗସ୍ତ ସମୟରେ ଆହତ ହୋଇଥିବା ଋଷଭ ପନ୍ତଙ୍କୁ ମଧ୍ୟ ଦିନିକିଆରେ ସୁଯୋଗ ମିଲିପାରେ।
ଦିନିକିଆରେ ରୋହିତ ଶର୍ମା ଏବଂ ଅଧିନାୟକ ଶୁଭମନ ଗିଲ୍ ଇନିଂସ ଓପନିଂ କରିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଗିଲ୍ ଆହତ ହୋଇଥିଲେ, କିନ୍ତୁ ତାଙ୍କ ବେକ ଯନ୍ତ୍ରଣା କମିଯାଇଛି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ବିରାଟ କୋହଲି ତୃତୀୟ ନମ୍ବରରେ ବ୍ୟାଟିଂ କରିବେ। ଶ୍ରେୟସ ଆୟରଙ୍କ ତାଙ୍କ ସ୍ଥାନରେ କିଏ ଖେଳିବ ତାକୁ ନେଇ ପ୍ରଶ୍ନ ଉଠିଛି। ଚତୁର୍ଥ ନମ୍ବରରେ ଆୟରଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିପାରେ। ତାଙ୍କର କାର୍ଯ୍ୟଭାର ପରିଚାଳନାକୁ ଦୃଷ୍ଟିରେ ରଖି ଚୂଡ଼ାନ୍ତ ନିଷ୍ପତ୍ତି ମେଡିକାଲ୍ ଟିମ୍ ଓ ଦଳ ପ୍ରବନ୍ଧକଙ୍କ ଉପରେ ନିର୍ଭର କରେ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦଳର ସମ୍ଭାବ୍ୟ ଦଳ
ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ (ୱିକେଟ୍ କିପର), ଯଶସ୍ଵୀ ଜୟସ୍ଵାଲ, ଅକ୍ଷର ପଟେଲ, କେ.ଏଲ୍ ରାହୁଲ (ୱିକେଟ୍ କିପର), ଧ୍ରୁବ ଜୁରେଲ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣା।
ଭାରତ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ
ନଭେମ୍ବର ୩୦ – ଅପରାହ୍ଣ ୧ଟା ୩୦ (ରାଞ୍ଚି)
ଡିସେମ୍ବର ୦୩- ଅପରାହ୍ଣ ୧ଟା ୩୦(ରାୟପୁର)
ଡିସେମ୍ବର ୦୬- ଅପରାହ୍ଣ ୧ଟା ୩୦ (ବିଶାଖାପାଟନମ୍)