କୋଲକାତା: କୋଲକାତା ଟେଷ୍ଟର ପ୍ରଥମ ଦିନରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଛି। ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ୍ ହରାଇ ୩୭ ରନ୍ କରିଛି। କେଏଲ୍ ରାହୁଲ ୧୩ ରନ ଏବଂ ୱାଶିଂଟନ୍ ସୁନ୍ଦର ୬ ରନ କରି କ୍ରିଜରେ ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ୧୫୯ ରନରେ ଅଲଆଉଟ୍ ହୋଇଥିଲା। ଭାରତ ଏପର୍ଯ୍ୟନ୍ତ ପ୍ରଥମ ଇନିଂସରେ ୧୨୨ ରନ୍ ପଛରେ ଅଛି।
ପ୍ରଥମେ ବ୍ୟାଟିଂ କରିଥିବା ଆଡନ ମାରକ୍ରମ ଏବଂ ରିଆନ୍ ରିକେଲଟନ୍ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଓପନିଂରେ ଦୁଇ ବ୍ୟାଟର ୫୭ ରନ ଯୋଡ଼ିଥିଲେ। ରିକଲଟନ(୨୩)ଙ୍କୁ ଆଉଟ୍ କରି ବୁମରା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଆଡନ ମାରକ୍ରମଙ୍କୁ ଆଉଟ୍ କରି ପାଭିଲିୟନ ପଠାଇଥିଲେ ବୁମରା। ମାରକ୍ରମ ୩୧ ରନ କରିଥିଲେ। ଦୁଇ ଓପନର ଆଉଟ୍ ହେବା ପରେ ଦିଗହରା ହରା ହୋଇ ପଡ଼ିଥିଲା। ଅଧିନାୟକ ଟେମ୍ବା ବାଭୁମା(୩ ରନ) ଏବଂ ଟୋନି ଡି ଜୋରଜି(୨୪ ରନ) ସମେତ ଅନ୍ୟ ବ୍ୟାଟର ବିଫଳ ହୋଇଥିଲେ। ଗୋଟିଏ ସମୟରେ, ଦକ୍ଷିଣ ଆଫ୍ରିକା ତିନି ୱିକେଟ୍ ହରାଇ ୧୧୪ ରନ୍ କରିଥିଲା, କିନ୍ତୁ ପରବର୍ତ୍ତୀ ୪୫ ରନ୍ ମଧ୍ୟରେ ଦଳ ବାକି ସାତ ୱିକେଟ୍ ହରାଇଥିଲା।
ବୁମରାଙ୍କୁ ୫ଟି ୱିକେଟ୍
ଯଶପ୍ରୀତ ବୁମରା ପ୍ରଥମ ଇନିଂସରେ ୧୪ ଓଭରରେ ମାତ୍ର ୨୭ ରନ ଦେଇ ୫ଟି ୱିକେଟ୍ ନେଇଥିଲେ। ଏହା ବୁମରାଙ୍କ ଟେଷ୍ଟ କ୍ୟାରିୟରରେ ୧୬ତମ ପାଞ୍ଚଟି ୱିକେଟ୍ ଥିଲା। ସେ ଆଡନ ମାରକ୍ରମ, ରିଆନ୍ ରିକେଲଟନ୍, ଟୋନି ଡି ଜୋରଜି, ସାଇମନ୍ ହାର୍ମର ଏବଂ କେଶବ ମହାରାଜଙ୍କୁ ଆଉଟ୍ କରିଥିଲେ। କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ୱିକେଟ୍ ମିଳିଛି। ଅକ୍ଷର ପଟେଲଙ୍କୁ ଗୋଟିଏ ସଫଳତା ମିଳିଛି।
ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା କେଏଲ ରାହୁଲ ୫୯ ବଲରୁ ୧୩ ରନ ରନ ଏବଂ ତୃତୀୟ ନମ୍ବରରେ ବ୍ୟାଟିଂ କରିଥିବା ୱାଶିଂଟନ୍ ସୁନ୍ଦର ୩୮ ବଲରୁ ୬ ରନ କରି ଅପରାଜିତ ଅଛନ୍ତି। ତୃତୀୟ ନମ୍ବରରେ ବ୍ୟାଟିଂ କରୁଥିବା ସାଇ ସୁଦର୍ଶନଙ୍କୁ ଏହି ମ୍ୟାଚରେ ବାଦ୍ ଦିଆଯାଇ ଓ୍ଵାଶିଂଟନ ସୁନ୍ଦରଙ୍କୁ ସୁଯୋଗ ଦିଆଯାଇଛି। ଯଶସ୍ଵୀ ଜୟସ୍ଵାଲ ୧୨ ରନ କରି ଆଉଟ୍ ହୋଇଛନ୍ତି।