କୋଲକାତା: ରୋମାଞ୍ଚକର ମୋଡରେ ପହଞ୍ଚିଛି ଇଡେନ ଗାର୍ଡେନରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ । ଡ୍ରାଇଭିଂ ସିଟରେ ଭାରତ । ସଂପୂର୍ଣ୍ଣ ଭାବେ ସ୍ପିନରଙ୍କୁ ସୁହାଉଥିବା ପିଚରେ ଶନିବାର ୧୫ ୱିକେଟ୍ ପତନ ହୋଇଛି । ଖରାପ ଆଲୋକ ଯୋଗୁଁ ଦ୍ୱିତୀୟ ଦିନର ଖେଳ ସମାପ୍ତ ହୋଇଛି । ଷ୍ଟମ୍ପ ଅପସାରଣ ବେଳକୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୭ ୱିକେଟ ହରାଇ ୯୩ ରନ କରିଛି । ହାତରେ ଆଉ ୩ ୱିକେଟ ଥାଇ ଦଳ ମାତ୍ର ୬୩ ରନରେ ଆଗୁଆ ରହିଛି । କ୍ରିଜରେ ଅଧିନାୟକ ତେମ୍ବା ବାଭୁମା ୨୯ ରନ କରି ଖେଳୁଛନ୍ତି । କୋର୍ବିନ ବୋଶ(୧) ତାଙ୍କ ସହ ଅପରାଜିତ ଅଛନ୍ତି । ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୧୮୯ ରନରେ ଅଲଆଉଟ୍ ହୋଇଥିଲା । ଏହି ଟେଷ୍ଟରେ ଭାରତ ମଜବୁତ ସ୍ଥିତିରେ ଅଛି ।
ଏହା ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ୨୫ ରନ ଭିତରେ ଦୁଇ ଓପରନ ରିୟାନ ରିକଲଟନ(୧୧) ଓ ଆଡନ ମାରକ୍ରମ(୪)ଙ୍କ ୱିକେଟ ହରାଇଥିଲା । ଏହା ପରେ ଦଳ ନିୟମିତ ୱିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଅଧିନାୟକ ତେମ୍ବା ବାଭୁମା ଗୋଟିଏ ପଟେ ଇଂନିସ ସମ୍ଭାଳିଥିବା ବେଳେ ଅନ୍ୟ ପଟେ କୌଣସି ବ୍ୟାଟର ଭାରତୀୟ ସ୍ପିନର ଉଚିତ୍ ମୁକାବିଲା କରି ପାରି ନାହାନ୍ତି । ମୁଲଡର ୧୧ ରନ, ଟୋନି ଡ ଜୋର୍ଜି ୨ ଓ ଟ୍ରିଷ୍ଟନ ଷ୍ଟବ୍ସ ୫ ରନ କରି ଆଉଟ୍ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସରେ ଏ ପର୍ଯ୍ୟନ୍ତ ରବୀନ୍ଦ୍ର ଜାଡେଜା ୨୯ ରନ ଦେଇ ୪ ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୧୨ ରନ ଦେଇ ୨ଟି ୱିକେଟ ନେଇଛନ୍ତି ।
ଏହା ପୂର୍ବରୁ ଭାରତ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ପ୍ରଥମ ଇନିଂସରେ ୧୮୯ ରନ କରିଥିଲା । ଦଳ ଦକ୍ଷିଣ ଆଫ୍ରିକାଠୁ ୩୦ ରନ ଅଗ୍ରଣୀ ହାସଲ କରିଥିଲା । କୌଣସି ବ୍ୟାଟର ବି ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି । କେଏଲ ରାହୁଲ ସର୍ବାଧିକ ୩୯ ରନ କରିଥିବା ବେଳେ ୱାଶିଂଟନ ସୁନ୍ଦର ୨୭ ରନ ଓ ରବୀନ୍ଦ୍ର ଜାଡେଜା ୨୭ ରନ କରିଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ହାର୍ମର ୩୦ ରନ ଦେଇ ୪ ସଫଳତା ହାସଲ କରିଥିବା ବେଳେ ମାର୍କୋ ଜନସେନ ୩ଟି ୱିକେଟ୍ ନେଇଛନ୍ତି । ଉଲ୍ଲେଖନୀୟ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୫୯ ରନ କରିଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫ ୱିକେଟ ନେଇଥିଲେ ।
Also read: ୪ କୋଟି କ୍ଷତିରେ ଜାଡେଜା, ୧୮ କୋଟିରେ ଧୋନୀଙ୍କ ଟିମରେ ସାମସନ, ଆଇପିଏଲରେ ଦଶନ୍ଧିର ସଂପର୍କ ତୁଟିଲା