ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତାକାଲି କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଚୂଡାନ୍ତ ଏକାଦଶରୁ ବାଦ୍ ପଡି ପାରନ୍ତି ଅକ୍ଷର ପଟେଲ । ଧ୍ରୁବ ଜୁରେଲଙ୍କ ଖେଳିବା ସ୍ପଷ୍ଟ ଲାଗୁଛି । ତେଣୁ ପ୍ରଥମ ଥର ଜୁରେଲ ଓ ପନ୍ତଙ୍କୁ ଏକ ସଙ୍ଗେ ଟେଷ୍ଟ ଦଳରେ ଦେଖିବାକୁ ମିଳିବ ।
ଇଂଲଣ୍ଡ ଗସ୍ତରେ ଆହତ ଋଷଭ ପନ୍ତ ସଂପୂର୍ଣ୍ଣ ଠିକ୍ ହୋଇ ସାରିଛନ୍ତି । ପ୍ରାୟ ୩ ମାସ ପରେ ପନ୍ତ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ । କୁହାଯାଉଛି କୋଲକାତାରେ ଟିମ୍ ଇଣ୍ଡିଆ ୩ ଦ୍ରୁତ ବୋଲର ଏବଂ ଦୁଇ ସ୍ପିନର କମ୍ବିନେସନ ସହ ମଇଦାନକୁ ଓହ୍ଲାଇପାରେ । ନୀତିଶ କୁମାର ରେଡ୍ଡୀଙ୍କୁ ପ୍ରଥମ ଟେଷ୍ଟ ପାଇଁ ଦଳରୁ ମୁକ୍ତ କରାଯାଇଛି । ଚୂଡାନ୍ତ ଏକାଦଶରେ ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର ଓ କୁଲଦୀପ ଯଦବଙ୍କ ରୂପେ ୩ ସ୍ପିନର ଖେଳି ପାରନ୍ତି । ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ଦ୍ରୁତ ବୋଲର ଦାୟିତ୍ୱ ସମ୍ଭାଳିବେ । ଅନ୍ୟପଟେ ଯଦି ପନ୍ତ ଏବଂ ଜୁରେଲ ଖେଳିବେ ତେବେ କିପିଂ କିଏ କରିବ । ଯଦି ପନ୍ତ ଶତ ପ୍ରତିଶତ ଫିଟ୍ ନ ଥିବେ ତେବେ ଜୁରେଲ ୱିକେଟ୍ କିପିଂ ଦାୟିତ୍ୱ ନିଭାଇ ପାରନ୍ତି ।
ଓପନର ଭାବେ ଯଶସ୍ୱୀ ଜୟସ୍ୱାଲ ଓ କେଏଲ ରାହୁଲ ଖେଳୁଥିବା ବେଳେ ତିନି ନମ୍ବରରେ ସାଇ ସୁଦର୍ଶନଙ୍କ ସ୍ଥାନ ନିଶ୍ଚିତ । ଚାରି ନମ୍ବରରେ ଅଧିନାୟକ ଶୁଭମନ ଗିଲ୍, ପାଞ୍ଚ ନମ୍ବରରେ ପନ୍ତ, ଷଷ୍ଠରେ ଜୁରେଲ ଖେଳିବେ । ନିମ୍ନ କ୍ରମରେ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିବେ ଜାଡେଜା ଓ ସୁନ୍ଦର ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ(ୱିକେଟ୍ କିପର), ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।
Also read: ଇସଲାମାବାଦରେ ଆତଙ୍କୀ ହମଲାରେ ଭୟଭୀତ ଶ୍ରୀଲଙ୍କା ଖେଳାଳି, ୮ ଖେଳାଳି ଛାଡିବେ ପାକିସ୍ତାନ, ୨ ଦିନିକିଆ ରଦ୍ଦ ?