ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ୧୪ ନଭେମ୍ବରରୁ କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଷ୍ଟାର ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଛନ୍ତି। ସହାୟକ ପ୍ରଶିକ୍ଷକ ରିଆନ ଟେନ ଡୋଶାଟେ କହିଛନ୍ତି, ଧ୍ରୁବ ଜୁରେଲଙ୍କ କୋଲକାତାରେ ଖେଳିବା ନିଶ୍ଚିତ। ଋଷଭ ପନ୍ତ ମଧ୍ୟ ପ୍ଲେଇଂ ଇଲେଭେନରେ ରହିବେ। ଇଂଲଣ୍ଡରେ ଆହତ ହେବା ପରେ ପନ୍ତଙ୍କ ଏହା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍।
ରିଆନ ଟେନ ଡୋଶାଟେ ସ୍ପଷ୍ଟ କରିଛନ୍ତି ଯେ ଧ୍ରୁବ ଜୁରେଲ ଋଷଭ ପନ୍ତଙ୍କ ସହିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବେ। ଜୁରେଲ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ତାଙ୍କର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ ଏବଂ ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ଏ ବିପକ୍ଷ ଦ୍ୱିତୀୟ ଅଣଆନୁଷ୍ଠାନିକ ଟେଷ୍ଟର ଉଭୟ ଇନିଂସରେ ଅପରାଜିତ ଶତକ (୧୩୨ ଏବଂ ୧୨୭) କରିଥିଲେ। ସେ ସଂପ୍ରତି ଦମଦାର ଫର୍ମରେ ଅଛନ୍ତି।
କାହିକିଁ ନୀତିଶ କୁମାର ରେଡ୍ଡି ପ୍ରଥମ ଟେଷ୍ଟରୁ ବାଦ ପଡ଼ିଲେ ?
ନୀତିଶ କୁମାର ରେଡ୍ଡି ଅଷ୍ଟ୍ରେଲିଆ ଗସ୍ତ ସମୟରେ ଆହତ ହୋଇଥିଲେ, ଏବଂ ତାଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠିଥିଲା। ଯଦିଓ ସେ ଟେଷ୍ଟ ଦଳରେ ଅଛନ୍ତି, ସହାୟକ ପ୍ରଶିକ୍ଷକ କହିଛନ୍ତି ଯେ ଜୁରେଲଙ୍କ ଖେଳିବା ନିଶ୍ଚିତ, ତେଣୁ ନୀତିଶ ପ୍ରଥମ ଟେଷ୍ଟ ଖେଳିପାରିବେ ନାହିଁ। ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ନୀତିଶଙ୍କୁ ପ୍ରଥମ ଟେଷ୍ଟ ପାଇଁ ଦଳରୁ ବାଦ ଦିଆଯାଇପାରେ ଏବଂ ସେ ଘରୋଇ କ୍ରିକେଟ୍ ଖେଳିପାରନ୍ତି।
ପ୍ରଥମ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ଏକାଦଶ
କେଏଲ ରାହୁଲ, ଯଶସ୍ୱୀ ଜୟସୱାଲ, ସାଇ ସୁଦର୍ଶନ, ଶୁଭମନ ଗିଲ (ଅଧିନାୟକ), ଋଷଭ ପନ୍ତ, ଧ୍ରୁବ ଜୁରେଲ (ୱିକେଟକିପର), ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା।
ଦକ୍ଷିଣ ଆଫ୍ରିକା ୨୬ ବର୍ଷ ମଧ୍ୟରେ ଭାରତରେ କୌଣସି ଟେଷ୍ଟ ସିରିଜ୍ ଜିତି ନାହିଁ।
ଦକ୍ଷିଣ ଆଫ୍ରିକା ୧୯୯୯ ମସିହାରେ ଭାରତରେ ପ୍ରଥମ ଏବଂ ଶେଷ ଟେଷ୍ଟ ସିରିଜ୍ ଜିତିଥିଲା। ଏହା ପରେ, ଦଳ ଟେଷ୍ଟ ସିରିଜ୍ ଖେଳିବା ପାଇଁ ପାଞ୍ଚଥର ଭାରତ ଗସ୍ତ କରିଛି, କିନ୍ତୁ କେବେ ଜିତି ନାହିଁ। ହେଡ୍-ଟୁ-ହେଡ୍ ଟେଷ୍ଟ ମ୍ୟାଚ୍ ଦୃଷ୍ଟିରୁ ଦୁଇ ଦେଶ ମଧ୍ୟରେ ମୋଟ ୪୪ଟି ମ୍ୟାଚ୍ ଖେଳା ଯାଇଛି। ଟିମ୍ ଇଣ୍ଡିଆ ୧୮ ଥର ଏବଂ ଦକ୍ଷିଣ ଆଫ୍ରିକା ୧୦ ଥର ବିଜୟୀ ହୋଇଛି। ୧୦ଟି ମ୍ୟାଚ୍ ଡ୍ର ରହିଛି।