ନୂଆଦିଲ୍ଲୀ: ଭାରତ ଆମେରିକା ସହ ଏକ ବଡ ଓ ଐତିହାସିକ ଡିଲ୍ କରିଛି । ଏହା ମୁତାବକ ଭାରତର ତୈଳ କମ୍ପାନି ଆମେରିକାଠୁ ୧୦ ପ୍ରତିଶତ ଏଲପିଜି ଆମଦାନୀ କରିବେ । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର ଏହି ଡିଲ୍ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏଲପିଜିର ବଢୁଥିବା ବହୁଲ ଚାହିଦାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଥିରେ ସୁନିଶ୍ଚିତ କରାଯାଇ ପାରିବ ଯେ, ଦେଶବାସୀଙ୍କୁ ଶସ୍ତା ଗ୍ୟାସ୍ ସିଲିଣ୍ଡର ମିଳିବା ଜାରି ରହୁ ।
ଚୁକ୍ତିନାମା ଆଧାରରେ ପିଏସୟୁ ଓଏଲ କମ୍ପାନିଗୁଡିକୁ କଣ୍ଟ୍ରାକ ବର୍ଷ ୨୦୨୬ରେ ଆମେରିକା ଗଲ୍ଫ କୋଷ୍ଟରୁ ଏଲପିଜି ଆମଦାନୀ କରିବାକୁ ପଡିବ । ଏହା ଭାରତୀୟ ବଜାର ପାଇଁ ଆମେରିକା ସହିତ ପ୍ରଥମ ଏଲପିଜି ଚୁକ୍ତିନାମା । ପୁରୀ କହିଛନ୍ତି, ମାଉଣ୍ଟ ବେଲଭ୍ୟୁ ବେଞ୍ଚମାର୍କ ଆଧାରରେ ଏଲପିଜିର ଆମଦାନୀ କରାଯିବ । ବିପିସିଏଲ, ଆଇଓସି ଓ ଏଚପିସିଏଲର ଉଚ୍ଚପଦସ୍ଥ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ଆମେରିକା ଗସ୍ତ କରିଥିଲେ ।
ଚୁକ୍ତିନାମା ପୂର୍ବରୁ ଅଧିକାରୀମାନେ ସେଠାକାର ତୈଳ ଉତ୍ପାଦନକାରୀ କମ୍ପାନି ସହ ଆଲୋଚନା କରିଛନ୍ତି । ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ପରେ ବି ଭାରତୀୟ କମ୍ପାନି ଲୋକଙ୍କୁ କମ ମୂଲ୍ୟରେ ଏଲପିଜି ଯୋଗାଇ ଦେବାକୁ ପ୍ରତିବଦ୍ଧ ।
ହରଦୀପ ସିଂହ ପୁରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ତୈଳ କମ୍ପାନି ଉଜ୍ଜ୍ୱଳା ଯୋଜନା ଆଧାରରେ କେବଳ ୫୦୦ରୁ ୫୫୦ ଟଙ୍କା ମଧ୍ୟରେ ସିଲିଣ୍ଡର ଯୋଗାଇ ଦେଉଛନ୍ତି । ଏହା ଅନ୍ତର୍ଜାତୀୟ ମୂଲ୍ୟଠୁ ବହୁତ କମ । ମାଆ ଓ ଭଉଣୀଙ୍କୁ ଶସ୍ତା ସିଲିଣ୍ଡର ପାଇଁ ସରକାର ଅତି କମରେ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
Also read: ରାଜ୍ୟପାଳଙ୍କୁ ଇସ୍ତଫା ଦେଲେ ନୀତିଶ କୁମାର, ବିହାରରେ ନୂଆ ସରକାର ଗଠନ ନେଇ ପ୍ରସ୍ତୁତି ଆରମ୍ଭ