ନୂଆଦିଲ୍ଲୀ: ଆଜି ସାରା ଦେଶରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଉଛି। ୧୯୬୬ ମସିହାରେ ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରଥମ ପ୍ରେସ୍ କାଉନସିଲ୍ କାମ ଆରମ୍ଭ କରିଥିଲା। ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍ ବୋଲି କୁହାଯାଏ। ଏ ବର୍ଷର ଜାତୀୟ ପ୍ରେସ୍ ଦିବସର ବିଷୟ ବସ୍ତୁ ହେଉଛି ଗଣତନ୍ତ୍ରର ସ୍ତମ୍ଭ ଭାବରେ ଏକ ମୁକ୍ତ, ଦାୟିତ୍ୱବାନ ଏବଂ ସ୍ୱାଧୀନ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା।
ତେବେ ଏକ ମୁକ୍ତ ଓ ଦାୟିତ୍ୱଶୀଳ ପ୍ରେସ୍ର ପ୍ରତୀକ ଭାବରେ ଏହି ଦିନଟିକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଏ। ପ୍ରେସ୍ କାଉନ୍ସିଲ୍ ଦୁଇଟି ମୁଖ୍ୟ ଉଦ୍ଦେଶ୍ୟରେ ଗଠିତ ହୋଇଥିଲା।
ପ୍ରଥମ: ପ୍ରେସ୍ ବା ସମ୍ବାଦବାହୀ ଗଣମାଧ୍ୟମର ମାନ ବଜାୟ ରଖିବା
ଦ୍ୱିତୀୟ : ଏହାକୁ ବାହ୍ୟ ଚାପ ଓ ପ୍ରଭାବରୁ ମୁକ୍ତ ରଖିବା
ଭାରତରେ ପ୍ରଥମ ପ୍ରେସ୍ କମିସନ୍ର ସୁପାରିଶରେ ପାର୍ଲାମେଣ୍ଟର ଏକ ଆଇନ ବଳରେ ଜନ୍ମ ନେଇଥିଲା ପ୍ରେସ୍ କାଉନ୍ସିଲ୍। ଏ ଆଇନ୍ଟି ପାସ୍ ହୋଇଥିଲା ୧୯୬୫ ମସିହା ନଭେମ୍ବର ୧୨ ତାରିଖରେ। ୧୯୭୫ରେ ଜରୁରୀ କାଳୀନ ପରିସ୍ଥିତିବେଳେ ପ୍ରେସ୍ କାଉନ୍ସିଲ୍କୁ ଭାଙ୍ଗି ଦିଆଯାଇଥିଲା। ତା’ପରେ ଜନତା ସରକାର ଆସିବା ପରେ ୧୯୭୮ରେ ନୂଆ ପ୍ରେସ୍ କାଉନସିଲ ଆଇନ କରାଗଲା। ୧୯୭୯ରେ ପୁଣି ଏହା କାର୍ଯ୍ୟ ଆରମ୍ଭ କଲା। ଦ୍ୱିତୀୟ ପ୍ରେସ୍ କାଉନସିଲରେ ଜଣେ ଅଧ୍ୟକ୍ଷଙ୍କ ସହ ୨୮ ଜଣ ସଭ୍ୟ ରହିଲେ। ପ୍ରେସ୍ର ସ୍ୱାଧୀନତା ରକ୍ଷା – ପ୍ରେସ୍ କାଉନ୍ସିଲ୍ର ଅନ୍ୟତମ ମୁଖ୍ୟ କାର୍ଯ୍ୟ।
ସମ୍ବାଦବାହୀ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ। ତା’ର କାରଣ ଗଣତନ୍ତ୍ରରେ ଗଣର ଆଶା, ଆକାଂକ୍ଷା, ଅନୁଭବ ଓ ଅଭିଜ୍ଞତାକୁ ଗଣମାଧ୍ୟମ ହିଁ ଉପସ୍ଥାପନ କରିଥାଏ। ଏହା ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଏକ ଯୋଗସୂତ୍ର। ଅନ୍ୟ ଦୃଷ୍ଟିରୁ ଦେଖିଲେ ଜନସାଧାରଣଙ୍କ ପାଇଁ ଏହା ପ୍ରହରୀର କାର୍ଯ୍ୟ ତୁଲାଇଥାଏ। ଗଣମାଧ୍ୟମ ଉପରେ ଆକ୍ରମଣ- ଅର୍ଥ ଗଣତନ୍ତ୍ର ଉପରେ ଆକ୍ରମଣ।
ସାମ୍ବାଦିକର ଦାୟିତ୍ୱ ହେଲା ସତ୍ୟ ଖବର ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିବା। ସତ୍ୟକୁ ଆଲୋକକୁ ଆଣିବା। ଏଥିପାଇଁ ଅନୁସନ୍ଧାନମୂଳକ ସାମ୍ବାଦିକତା ଏକ ବଡ଼ ଆୟୁଧ।