ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧିର ୨୨ତମ କିସ୍ତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଗୌହାଟୀରେ ଏକ କାର୍ୟ୍ୟକ୍ରମ ସମୟରେ ଚାଷୀଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା ଲେଖାଏଁ ବଣ୍ଟନ କରିଛନ୍ତି । ଏହା ଦ୍ୱାରା ୯ କୋଟି ୩୨ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ।
ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧିର ୨୨ତମ କିସ୍ତି ପାଇଥିବା ହିତାଧିକାରୀଙ୍କ ମଧ୍ୟରେ ୨ କୋଟି ୧୫ ଲକ୍ଷରୁ ଅଧିକ ମହିଳା ଚାଷୀ ଅଛନ୍ତି। ଏହି ଯୋଜନା ଅଧୀନରେ, ଯୋଗ୍ୟ ଚାଷୀ ପରିବାରକୁ ପ୍ରତିବର୍ଷ ତିନୋଟି ସମାନ କିସ୍ତିରେ ଡିବିଟି ମାଧ୍ୟମରେ ୬,୦୦୦ ଟଙ୍କା ପ୍ରଦାନ କରାଯାଏ । ଏହି କିସ୍ତି ଜାରି ହେବା ସହିତ, ପ୍ରଧାନମନ୍ତ୍ରୀ-କିଷାନ ଅଧୀନରେ ବଣ୍ଟନ କରାଯାଇଥିବା ମୋଟ ରାଶି ୪.୨୭ ଲକ୍ଷ କୋଟି ଅତିକ୍ରମ କରିଛି।
ପୂର୍ବ ତଥ୍ୟ ଅନୁଯାୟୀ, ଫେବୃଆରୀ ୨୦୨୫ରେ ୧୯ତମ କିସ୍ତି ଭାବରେ ୯.୮ କୋଟି ଚାଷୀଙ୍କୁ ୨୨,୦୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଥିଲା। ଏହା ପରେ ଅଗଷ୍ଟ ୨୦୨୫ରେ ୨୦ତମ କିସ୍ତିରେ ୯.୭ କୋଟି ଚାଷୀଙ୍କୁ ୨୦,୫୦୦ କୋଟି ଟଙ୍କା ଏବଂ ନଭେମ୍ବର ୨୦୨୫ରେ ୨୧ତମ କିସ୍ତିରେ ୯ କୋଟି ଚାଷୀଙ୍କୁ ୧୮,୦୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଥିଲା।