ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତୀୟଙ୍କ ମଧ୍ୟରେ ଇନ୍ଧନ ଗ୍ୟାସ୍ ଏବଂ ତୈଳ ପାଇଁ ଚିନ୍ତା ବଢ଼ିଛି । ଏହାରି ମଧ୍ୟରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟର ବଡ଼ ବୟାନ ଆସିଛି । ଭାରତ ପାଖରେ ପ୍ରଚୁର ପରିମାଣରେ ପ୍ରାକୃତିକ ଗ୍ୟାସ ରହିଛି । ତେଣୁ ହଡ଼ବଡ଼ ହୋଇ ତରବରିଆଭାବେ ଗ୍ୟାସ ନ କିଣିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ବିଭାଗ ଯୁଗ୍ମ ସଚିବ ସୁଜାତା ଶର୍ମା ।
ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁଗ୍ମ ସଚିବ ସୁଜାତା ଶର୍ମା ଦେଶରେ ଦେଇଥିବା ଗ୍ୟାସ ସଙ୍କଟ ଉପରେ ଖୋଲାଖୋଲି ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଆମେ ପେଟ୍ରୋଲ ଏବଂ ଡିଜେଲ ଉତ୍ପାଦନରେ ଆତ୍ମନିର୍ଭରଶୀଳ । ତେଣୁ, ଏହି ଇନ୍ଧନଗୁଡ଼ିକୁ ଭାରତରେ ଆମଦାନୀ କରିବାର କୌଣସି ଆବଶ୍ୟକତା ନାହିଁ। ଦେଶର ସମସ୍ତ ରିଫାଇନାରୀଗୁଡ଼ିକ ବର୍ତ୍ତମାନ ଶତ ପ୍ରତିଶତ କିମ୍ବା ତା'ଠାରୁ ଅଧିକ କ୍ଷମତାରେ କାର୍ଯ୍ୟ କରୁଛନ୍ତି। ରିଫାଇନାରୀଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ଅଶୋଧିତ ତୈଳ ଗଚ୍ଛିତ ଅଛି ଏବଂ ଯୋଗାଣ ନିରନ୍ତର ରହିଛି। ଘରୋଇ ଗ୍ରାହକମାନଙ୍କୁ ପିଏନଜି ଏବଂ ସିଏନଜି ଯୋଗାଣରେ କୌଣସି ବାଧା କିମ୍ବା କଟକଣା ନାହିଁ । ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନଥିବା ସେ ପରମର୍ଶ ଦେଇଛନ୍ତି ।
ଏହା ବ୍ୟତୀତ ପ୍ରମୁଖ ସହର ଏବଂ ସହରାଞ୍ଚଳ କେନ୍ଦ୍ରଗୁଡ଼ିକରେ ରହୁଥିବା ବାଣିଜ୍ୟିକ ଗ୍ରାହକମାନଙ୍କ ଚିନ୍ତାର ସମାଧାନ କରିବାକୁ ବିଷୟରେ ଭାରତ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି। ଏପରି ସ୍ଥଳେ ସମସ୍ତ ବାଣିଜ୍ୟିକ ଗ୍ରାହକଙ୍କୁ ପିଏନଜି ସଂଯୋଗ ପାଇବା ପାଇଁ ସେମାନଙ୍କର ସ୍ଥାନୀୟ ସିଟି ଗ୍ୟାସ୍ ବଣ୍ଟନ ବା ସିଜିଡି ନେଟୱାର୍କ ପ୍ରଦାନକାରୀ କିମ୍ବା ସେମାନଙ୍କର ଅଧିକୃତ ଡିଲରଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ସେମାନେ ଚାହିଁଲେ ସିଏନଜି ଗ୍ୟାସକୁ ପିଏନଜିରେ ପରିବର୍ତ୍ତନ କରିପାରିବେ ।
ସୁଜାତା ଶର୍ମା କହିଛନ୍ତି ଯେ ସମସ୍ତ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ। ଦେଶରେ ଥିବା ୨୫,୦୦୦ ବିତରକଙ୍କ ମଧ୍ୟରୁ କୌଣସିଟି ଷ୍ଟକ୍ ସରିଯାଇଥିବା କୌଣସି ରିପୋର୍ଟ ମିଳିନାହିଁ। ତେଣୁ କୌଣସି ଗୁଜବରେ ଧ୍ୟାନ ନ ଦେଇ ଏବଂ ଆତଙ୍କିତ ନ ହୋଇ ଏଲପିଜି ଗ୍ୟାସ୍ କିଣନ୍ତୁ ନାହିଁ ବୋଲି ମନ୍ତ୍ରଣାଳୟ ସମସ୍ତ ଗ୍ରାହକଙ୍କୁ ପରାମର୍ଶ ଦେଇଛି ।