ନୂଆଦିଲ୍ଲୀ: ସାଉଦି ଆରବରେ ହୋଇଥିବା ହୃଦୟ ବିଦାରକ ବସ୍ ପୋଡ଼ି ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଯେଉଁଥିରେ ୪୫ ଜଣ ଭାରତୀୟ ତୀର୍ଥ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଆଉ ଏହି ମୃତକଙ୍କ ମଧ୍ୟରେ ରହିଛନ୍ତି ଗୋଟିଏ ପରିବାର ୧୮ ଜଣ ସଦସ୍ୟ । ଆଉ ଏକ ପରିବାର ୫ ଜଣ ସଦସ୍ୟ । ବସ୍ ଭିତରେ ପୋଡ଼ି ଯାଇଛି ତିନି ପୀଢ଼ି ।
ହାଇଦ୍ରାବାଦର ମୁସୀରାବାଦର ବାସିନ୍ଦା ଶେଖ ନାସୀରୁଦ୍ଦୀନ ଏବଂ ତାଙ୍କ ପତ୍ନୀ ଅଖତର ବେଗମ ଉକ୍ତ ବସରେ ଯାତ୍ରା କରୁଥିଲେ । ତାଙ୍କ ସହିତ ପୁରା ପରିବାର ଯାତ୍ରା କରୁଥିଲେ, ଯେଉଁଥିରେ ନାସୀରୁଦ୍ଦୀନଙ୍କ ପୁଅ ଏସ୍.କେ ସଲାଉଦ୍ଦୀନ ଓ ବୋହୂ ଫରାନା ସୁଲତାନା, ଆଉ ଏକ ପୁଅ ଶେଖ ଜୈନଉଦ୍ଦୀନ, ରିଦା ତାଜିନ୍, ତସ୍ମିମା ତାହରୀନ୍, ବଡ଼ ଝିଅ ଅମୀନା ବେଗମ୍, ଅନୀସ ଫାତିମା, ମଝିଆ ଝିଅ ଶବାନା ବେଗମ୍, ହୁଜାଇଫା ଜାଫର, ତୃତୀୟ ଝିଅ ରିଜୱାନା ବେଗମ୍, ମରିୟମ ଫାତିମା, ମହମ୍ମଦ ଶାହଜୈନ, ବୋହୁ ସନା ସୁଲତାନା, ମେହରିଶ, ଉଜୈରୁଦ୍ଦୀନ ଏବଂ ଉମୈଜା । ସେମାନେ ହଜ୍ ଯାତ୍ରା ପାଇଁ ମାସକ ଆଗରୁ ବହୁତ ଖୁସିରେ ଆନନ୍ଦ ଉଲ୍ଲାସରେ ପ୍ରସ୍ତୁତି କରିଥିଲେ । ଆଉ ସେହି ଘରେ ଏବେ କାନ୍ଦିବାକୁ ବି ସଦସ୍ୟ ନାହାଁନ୍ତି ।
ପୀଡ଼ିତ ପରିବାରର ଜଣେ ଦାଦା ପୁଅ ଭାଇ ମହମ୍ମଦ କହିଛନ୍ତି ଯେ ତାଙ୍କ ପରିବାର ୧୮ ଜଣ ଲୋକ ହଜ୍ ଯାତ୍ରା ପାଇଁ ଯାଇଥିଲେ ଆଉ ସମସ୍ତେ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାର ତଦନ୍ତ କରିବା ସହିତ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଭାରତ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ସେହିପରି ଆଉ ଏକ ପରିବାର ମଧ୍ୟ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଯେଉଁଥିରେ ୫ ଜଣ ସଦସ୍ୟ ଥିଲେ । ସାବିହା ବେଗମ, ପୁଅ ଇରଫାନ, ବୋହୂ ହୁମୈରା ଏବଂ ସେମାନଙ୍କର ଦୁଇ ଛୋଟ ପୁଅ ହାମଦାନ ଓ ଇଜାମ ଥିଲେ ।
ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ମକ୍କାରୁ ମଦିନା ଯାଉଥିବା ଏକ ହଜ୍ ଯାତ୍ରୀଙ୍କ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯେଉଁଥିରେ ଭାରତୀୟ ହଜ୍ ଯାତ୍ରୀ ଥିଲେ । ଭାରତୀୟ ସମୟ ଅନୁସାରେ ପ୍ରାୟ ୧ଟା ୩୦ ସମୟରେ ମୁଫ୍ରିହାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଏକ ତେଲ୍ ଟ୍ୟାଙ୍କର୍ ବସକୁ ଧକ୍କା ଦେବା ଫଳରେ ବସରେ ନିଆଁ ଲାଗି ଯାଇଥିଲା । ଫଳରେ ସେଥିରେ ଥିବା ଯାତ୍ରୀମାନେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହି ସମସ୍ତ ତୀର୍ଥଯାତ୍ରୀ ମକ୍କାରେ ଉମରାହ ରୀତି ସମାପ୍ତ କରିଥିଲେ ଏବଂ ଅଧିକ ରୀତି ପାଇଁ ମଦିନା ଯାଉଥିଲେ।