ଭୁବନେଶ୍ୱର: ଗାୟକ ହ୍ୟୁମାନ ସାଗରଙ୍କର ଅକାଳ ବିୟୋଗ ହୋଇଛି । କିନ୍ତୁ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହୋଇଛି । ହ୍ୟୁମାନ ଅସୁସ୍ଥ ଅବସ୍ଥାରେ ତାଙ୍କୁ ଡରେଇ ଧମକାଇ କାର୍ଯ୍ୟକ୍ରମ କରାଯାଉଥିଲା ବୋଲି ହ୍ୟୁମାନଙ୍କ ମା ଶେଫାଳି ସୁନା । ତାଙ୍କ ପୁଅକୁ ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି ।
ହ୍ୟୁମାନଙ୍କ ମୃତ୍ୟୁ ପରେ ଏମ୍ସ ପରିସରରେ ହାଇଡ୍ରାମା ଦେଖିବାକୁ ମିଳିଛି । ମା ଶେଫାଳି ସୁନା ହ୍ୟୁମାନଙ୍କ ସହଯୋଗୀ ପ୍ରଶାନ୍ତ ବେହେରା, ଦିଲେଶ ବେହେରା ଏବଂ ଜଣେ ଝିଅ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ହ୍ୟୁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ତାଙ୍କୁ ଲୁଚାଇ ରଖାଯାଇଥିଲା । ତାଙ୍କର ଦେହ ଖରାପ ଜାଣି ମ୍ୟାନେଜମେଣ୍ଟ ଟିମ୍ ପ୍ରୋଗ୍ରାମରେ ଯୋଗ ଦେବାକୁ ଚାପ ପକାଉଥିଲା । ଗତ ଅଗଷ୍ଟ ୨୧ ରେ ମାମୁଁଙ୍କ ଦେହାନ୍ତରେ ଘରକୁ ଯାଇଥିବାବେଳେ ତାଙ୍କ ପାଦ ଫୁଲି ଯାଇଥିଲା । ତାଙ୍କୁ ଘରେ ସମସ୍ତେ ଅଟକାଇଥିଲେ । କିନ୍ତୁ କାମ ଅଛି କହି ସେ ପଳାଇଆସିଥିଲେ । ଯେଉଁଦିନ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ସେହିଦିନ ତାଙ୍କର କାର୍ଯ୍ୟକ୍ରମ ମଧ୍ୟ ଥିଲା । ତେଣୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ସେପଟେ ସହଯୋଗୀ ପ୍ରଶାନ୍ତ ବେହେରା ଏବଂ ତାଙ୍କ ଭଉଣୀ ମଧ୍ୟ ଗଣମାଧ୍ୟମ ସମୟରେ ପ୍ରତିକ୍ରିୟା ରଖିଛନ୍ତି । ପ୍ରଶାନ୍ତ କହିଛନ୍ତି ହ୍ୟୁମାନଙ୍କ ଦେହ ୨ ବର୍ଷ ତଳୁ ଖରାପ ହୋଇଛି । ସେ ନିଶା ସେବନ କରିବା ମଧ୍ୟ ଛାଡ଼ି ଦେଇଥିଲେ । ତାଙ୍କର ଚିକିତ୍ସା ଚାଲିଥିଲା । ଏମିତି ଏମ୍ସରେ ଭର୍ତ୍ତି କରିବା ଦିନ କୌଣସି ପରିବାର ସଦସ୍ୟ ନ ଥିଲେ । ସେ ତାଙ୍କର ଗାର୍ଡିଆନ୍ ଭାବରେ ହସ୍ପିଟାଲରେ ଦସ୍ତଖତ କରିଛନ୍ତି ।
ସେପଟେ ପ୍ରଶାନ୍ତଙ୍କ ଭଉଣୀ ମଧ୍ୟ ଶେଫାଳି ସୁନାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଯେବେଠାରୁ ତାଙ୍କ ବୈବାହିକ ଜୀବନରେ ବିବାଦ ଦେଖାଦେଇଥିଲା ସେବେଠାରୁ ସେ ମାନସିକଭାବେ ଭାଙ୍ଗି ପଡ଼ିଥିଲେ । ତାଙ୍କ ସ୍ତ୍ରୀ ଶ୍ରୀୟା ଛାଡ଼ପତ୍ର ପାଇଁ ଆବେଦନ କରିବା ପରେ ହ୍ୟୁମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଏପରିକି ତାଙ୍କ ସ୍ତ୍ରୀ ଗୋଟିଏ ମାତ୍ର ଝିଅକୁ ଦେଖିବାକୁ ଦେଉନଥିଲେ । ଯେଉଁଥିପାଇଁ ହ୍ୟୁମାନ୍ ମାନସିକ ସ୍ତରରେ ବହୁତ ଭାଙ୍ଗି ପଡ଼ିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ହେବ ହ୍ୟୁମାନ ସାଗର ଅସୁସ୍ଥ ଥିଲେ । ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୪ ତାରିଖ ସୋମବାର ଦିନ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍ସର ଆଇସିୟୁରେ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ । ଲିଭର୍ ଓ କିଡ଼ନିରେ ସମସ୍ୟା ଥିଲା । ତାଙ୍କ ଶରୀର ଅନେକ ଅଙ୍ଗ ଅକାମୀ ହୋଇଯାଇଥିଲା । ସୋମବାର ରାତି ୯ଟା ୮ ମିନିଟରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ହୋଇଥିଲା ।