ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି, “ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି ।”
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରି କହିଛନ୍ତି, "ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନେକ ଗୀତରେ କଣ୍ଠଦାନ କରି ବହୁତ କମ ସମୟ ମଧ୍ୟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ; ସଙ୍ଗୀତ ଜଗତର ଜଣେ ଉଜ୍ଜ୍ୱଳ ତାରକାକୁ ହରାଇଲା । ତାଙ୍କ ସ୍ୱରର ଯାଦୁ ସବୁଦିନ ପାଇଁ ଓଡ଼ିଆ ଶ୍ରୋତାଙ୍କ ମନରେ ଅମର ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି "।
ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶ୍ରୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ଯନ୍ତ ଦୁଃଖିତ ଏବଂ ମର୍ମାହତ। ଅନେକ ଲୋକପ୍ରିୟ ସଙ୍ଗୀତରେ କଣ୍ଠଦାନ କରି ସୁନାମ ଅର୍ଜନ କରିବା ସହ ସଙ୍ଗୀତ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ହ୍ୟୁମାନ । ତାଙ୍କ ବିୟୋଗ ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି"।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଛନ୍ତି, "ହ୍ୟୁମାନ ସାଗରଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଭାବେ ଦୁଃଖିତ। ତାଙ୍କର ଭାବପୂର୍ଣ୍ଣ ସଙ୍ଗୀତ ଅଗଣିତ ଶ୍ରୋତାଙ୍କ ହୃଦୟକୁ ଛୁଇଁଛି ଏବଂ ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି"।
ହ୍ୟୁମାନଙ୍କ ସାରା ଓଲିଉଡ୍ ଜଗତରେ ଶୋକର ଛାୟା ଖେଳାଯାଇଛ । ସେପଟେ ଏମ୍ସ ମେଡ଼ିକାଲରେ ପରିସରରେ ଅନେକ ସଂଖ୍ୟାରେ ପ୍ରଶଂସକ ଏବଂ ଗାୟକ ଓ ଗାୟିକାମାନେ ରୁଣ୍ଡ ହୋଇଛନ୍ତି । କେହି ହ୍ୟୁମାନଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ।
ଗତ କିଛି ଦିନ ହେବ ହ୍ୟୁମାନ୍ ସାଗର ଅସୁସ୍ଥ ଥିଲେ । ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍ସର ଆଇସିୟୁରେ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ । ଲିଭର୍ ଓ କିଡ଼ନିରେ ସମସ୍ୟା ଥିଲା । ତାଙ୍କ ଶରୀର ଅନେକ ଅଙ୍ଗ ଅକାମୀ ହୋଇଯାଇଥିଲା । ଶ୍ୱାସକ୍ରିୟା ଅସୁବିଧା ସମ୍ମୁଖୀନ ହେବା ସହିତ ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ଭଳି ରୋଗରେ ପୀଡ଼ିତ ଥିଲେ ।
୧୯୯୦, ନଭେମ୍ବର ୨୫ ତାରିଖରେ ହ୍ୟୁମାନ୍ ସାଗର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ । ଯୁବପୀଢ଼ିଙ୍କ ହୃଦୟରେ ହ୍ୟୁମାନ୍ ଏକ ସ୍ୱତନ୍ତ୍ର ଘର ତିଆରି କରିଥିଲେ । ୨୦୧୨ ରେ ତରଙ୍ଗ ଟିଭିର ରିଆଲିଟି ଶୋ ‘ଭଏସ୍ ଏଫ୍ ଓଡ଼ିଶା’ରେ ଅଂଶ ଗ୍ରହଣ କରି ହ୍ୟୁମାନ୍ ବିଜୟୀ ହୋଇଥିଲେ । ଏହା ପରେ ‘ଇସ୍କ ତୁ ହି ତୁ’ ପ୍ରଥମ ଗୀତରେ କଣ୍ଠଦାନ କରି ସାରା ଓଡ଼ିଶାରେ ଯୁବ ପୀଢ଼ିଙ୍କ ହୃଦୟରେ ରାଜ୍ କରିଥିଲେ । ଏଇଠୁ ଆରମ୍ଭ ହୋଇଥିଲା ତାଙ୍କର ସଙ୍ଗୀତ ଯାତ୍ରା । ଏହା ପରେ ସେ ଚଳଚ୍ଚିତ୍ର, ଓଡ଼ିଆ ଆଲବମ୍ ଓ ସମ୍ବଲପୁରୀରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ ଗୀତରେ କଣ୍ଠଦାନ କରିଛନ୍ତି । ସେ ବିବାହିତ ହୋଇଥିବାବେଳେ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛନ୍ତି ।