ଭୁୁବନେଶ୍ୱର: ଅଫେରା ରାଇଜକୁ ଚାଲିଗଲେ ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଆଉ ନିରବି ଯାଇଛି ପ୍ରତିଟି ଯୁବ ପିଢିର ହୃଦୟରେ ସ୍ୱତନ୍ତ୍ର ହାସଲ କରିଥିବା ହ୍ୟୁମାନଙ୍କ ସୁମଧୁର ସ୍ୱର । ଜୀବନ ମରଣ ସହ ସଂଘର୍ଷ କରିବା ପରେ ଶେଷରେ ସୋମବାର ରାତି ପ୍ରାୟ ୯ଟା ୮ ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ପୂରା ରାଜ୍ୟରେ ଶୋକର ଲହରି ଖେଳି ଯାଇଛି । ହ୍ୟୁମାନଙ୍କ ଦେହାନ୍ତକୁ ନେଇ ବିବାଦ ମୁଣ୍ଡ ଟେକିଛି । ତାଙ୍କ ମାଆ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଦେହ ଖରାପ ସତ୍ତ୍ୱେ ମୋ ପୁଅକୁ ବ୍ୟବହାର କରାଯାଉଥିବା କହିଛନ୍ତି ।
ସେ କହିଛନ୍ତି, ଦେହ ଖରାପ ବେଳେ ବି ପୁଅକୁ ଷ୍ଟେଜ ସୋ କରାଉଥିଲେ । ମୋ ପୁଅକୁ ମିଶି କି ମାରି ଦିଆଯାଇଛି । ମୋ ପୁଅର ମୃତ୍ୟୁ ପଛର ଦୋଷୀକୁ ଶୀଘ୍ର ଧରାଯାଉ । ସିଧାସଳଖ ମ୍ୟାନେଜର ଓ ଆୟୋଜକଙ୍କୁ ଦୋଷ ଦେଇଛନ୍ତି ହ୍ୟୁମାନଙ୍କ ମାଆ । ଡାକ୍ତରମାନେ ସବୁ ପ୍ରକାରର ସାହାଯ୍ୟ କରିଥିଲେ । ପୁଅର ଚିକିତ୍ସା ପାଇଁ ଭିକ ମାଗି ନ ଥିଲି ବୋଲି ତାଙ୍କ ମାଆ କହିଛନ୍ତି ।
ହ୍ୟୁମାନଙ୍କ ମାଉସୀ ମଧ୍ୟ ମ୍ୟାନେଜରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଦେହ ଖରାପ ଥିବା ସମୟରେ ଦିନେ ଶୋ ପାଇଁ କଟକରୁ ଧରିକି ଗଲେ ରାଉରକେଲା । ପୁଣି ସେହି ଦିନ ଆନ୍ଧ୍ର ସୀମାକୁ ନେଇକି ଯାଇଥିଲେ । ଅସୁସ୍ଥ ଲୋକଟି ଏତେ ବାଟ ଯାତ୍ରା କଲେ ତାର ଅବସ୍ଥା କଣ ହେବ । ଏପରିକି ଏହି ସବୁ ଲୋକେ ଶୋ ପାଇଁ ହ୍ୟୁମାନଙ୍କ ଚିକିତ୍ସା କରାଇବାକୁ ଦେଉ ନ ଥିଲେ । ଯେଉଁ ଦିନ ଆମେ ମେଡିକାଲରେ ଭର୍ତ୍ତି କଲୁ, ସେ ଦିନ ବି ସୋ ପାଇଁ ଯିବାକୁ କହୁଥିଲେ ବୋଲି ମାଉସୀ କହିଛନ୍ତି ।
ସୂଚନାଯୋଗ୍ୟ, ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୪ ତାରିଖ ସୋମବାର ଦିନ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍ସର ଆଇସିୟୁରେ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ । ଲିଭର୍ ଓ କିଡ଼ନିରେ ସମସ୍ୟା ଥିଲା । ତାଙ୍କ ଶରୀର ଅନେକ ଅଙ୍ଗ ଅକାମୀ ହୋଇଯାଇଥିଲା । ଶ୍ୱାସକ୍ରିୟା ଅସୁବିଧା ସମ୍ମୁଖୀନ ହେବା ସହିତ ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ଭଳି ରୋଗରେ ପୀଡ଼ିତ ଥିଲେ । ଡାକ୍ତର ତାଙ୍କୁ ୭୨ ଘଣ୍ଟା ସମୟ ଦେଇଥିଲେ । ପରିବାର ଲୋକେ ତାଙ୍କ ଏୟାରଲିଫ୍ଟ କରିବାକୁ ସରକାରଙ୍କୁ ସାହାଯ୍ୟ ମାଗିଥିଲେ । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିଥିବାରୁ ଡାକ୍ତର ଏୟାରଲିଫ୍ଟ ପାଇଁ ଅନୁମତି ଦେଇ ନ ଥିଲେ । ଶେଷରେ ସମସ୍ତଙ୍କୁ ଶୋକ ସାଗରେ ଭସାଇ ଦେଇ ଚାଲିଯାଇଛନ୍ତି ହ୍ୟୁମାନ ସାଗର ।
୧୯୯୦, ନଭେମ୍ବର ୨୫ ତାରିଖରେ ହ୍ୟୁମାନ୍ ସାଗର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ । ଯୁବପୀଢ଼ିଙ୍କ ହୃଦୟରେ ହ୍ୟୁମାନ୍ ଏକ ସ୍ୱତନ୍ତ୍ର ଘର ତିଆରି କରିଥିଲେ । ୨୦୧୨ ରେ ତରଙ୍ଗ ଟିଭିର ରିଆଲିଟି ଶୋ ‘ଭଏସ୍ ଏଫ୍ ଓଡ଼ିଶା’ରେ ଅଂଶ ଗ୍ରହଣ କରି ହ୍ୟୁମାନ୍ ବିଜୟୀ ହୋଇଥିଲେ । ଏହା ପରେ ‘ଇସ୍କ ତୁ ହି ତୁ’ ପ୍ରଥମ ଗୀତରେ କଣ୍ଠଦାନ କରି ସାରା ଓଡ଼ିଶାରେ ଯୁବ ପୀଢ଼ିଙ୍କ ହୃଦୟରେ ରାଜ୍ କରିଥିଲେ । ଏଇଠୁ ଆରମ୍ଭ ହୋଇଥିଲା ତାଙ୍କର ସଙ୍ଗୀତ ଯାତ୍ରା । ଏହା ପରେ ସେ ଚଳଚ୍ଚିତ୍ର, ଓଡ଼ିଆ ଆଲବମ୍ ଓ ସମ୍ବଲପୁରୀରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ ଗୀତରେ କଣ୍ଠଦାନ କରିଛନ୍ତି । ସେ ବିବାହିତ ହୋଇଥିବାବେଳେ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛନ୍ତି ।